ଭଞ୍ଜନଗର,୨୪/୦୬(ପିପିଟି); ଭଞ୍ଜନଗର ଲଣ୍ଡେଇ ସାହି ୟୁନିଟ-୩ରେ ଭଡ଼ା ଘରେ ରହୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ-୧ରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ଜେ. ଅନିତା(୩୪)ଙ୍କ ଝୁଲନ୍ତା ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି। ସେ ଏଠାରେ ଗତବର୍ଷ ମାର୍ଚ୍ଚ ମାସରୁ ରହି ଆସୁଥିଲେ। ହେଲେ ମଙ୍ଗଳବାର ସନ୍ଧ୍ୟାରେ ସେ ଘରକୁ ଫେରିବା ପରେ ଆଉ ତାଙ୍କୁ କେହି ପଡ଼ୋଶୀ ଦେଖି ନଥିବା ଜଣାପଡିଛି। ଆଜି ଘରୁ କିଛି ଦୁର୍ଗନ୍ଧ ବାହାରୁ ଥିବାରୁ ଅନ୍ୟ ମାନଙ୍କର ସନ୍ଦେହ ହେବାରୁ ପୋଲିସକୁ ଖବର ଦିଆ ଯାଇଥିଲା। ପୋଲିସ ଟିମ ମାଜିଷ୍ଟ୍ରେଟ ବିକାଶ କୁମାର ଭୋଇଙ୍କ ଉପସ୍ଥିତିରେ ଘରର କବାଟକୁ କଟରରେ କାଟି ଖୋଲିଥିଲା। ଘରର ସିଲିଙ୍ଗ ପଙ୍ଖାରେ ରେ ରଶି ଲଗାଇ ଅନିତା ଆତ୍ମହତ୍ୟା କରିଥିବା ବେଳେ ଘରେ ଥିବା ଟିଭି, ମୋବାଇଲ, ଅନେକ ଔଷଧ ଖୋଳ ଓ ଅନ୍ୟାନ୍ୟ ଜିନିଷପତ୍ର ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା।ଅନିତାଙ୍କ ନିଜ ଗ୍ରାମ ଦିଗପହଣ୍ଡି ନିକଟ ପଦ୍ମନାଭ ପୁର ହୋଇଥିବା ବେଳେ ପରିବାର ଲୋକେ ବର୍ତ୍ତମାନ ବ୍ରହ୍ମପୁର ଠାରେ ରହି ଆସୁଛନ୍ତି।ଖବର ପାଇ ପରିବାର ଲୋକେ ଭଞ୍ଜନଗର ଠାରେ ଆସି ପହଞ୍ଚିଥିଲେ। ପିତା ଜେ. ସୁବା ରାଓ ଓ ମାତା ଜେ. ତୁଳସୀଙ୍କ ୫ଝିଅଙ୍କ ମଧ୍ୟରୁ ତୃତୀୟ କନ୍ୟା ଥିଲେ ଅନିତା। ବ୍ରହ୍ମପୁର କାର୍ଯ୍ୟାଳୟକୁ ଅନିତାଙ୍କର ବଦଳି ହୋଇ ଯାଇଥିଲେ ମଧ୍ୟ ଏଠାରେ ତାଙ୍କ ଠାରୁ କେହି ଦାୟୀତ୍ୱ ଗ୍ରହଣ କରୁ ନଥିଲେ।ଦିନରାତି ଅଧିକ ଅଫିସ କାର୍ଯ୍ୟକୁ ନେଇ ଉପରିସ୍ଥ ଅଧିକାରୀ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଯୋଗୁଁ ସେ ସବୁବେଳେ ଚାପରେ ରହୁଥିବା ପରିବାର ଲୋକ କହିଛନ୍ତି। ଶେଷଥର ପାଇଁ ଅନିତା ଗତ ୨୧ତାରିଖ ରାତି ସାଢ଼େ ୭ଟା ସମୟରେ ତାଙ୍କ ସାନ ଭଉଣୀ ଜେ.ଭାରତୀଙ୍କ ସହ ଫୋନରେ କଥା ହୋଇ ଶୀଘ୍ର ବ୍ରହ୍ମପୁର ଆସୁଥିବା ବିଷୟ କହିଥିଲେ। ପୋଲିସ ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ ପଠେଇ ଥିବା ଜଣାପଡିଛି। ହେଲେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିନାହିଁ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )