ମାଲକାନଗିରି,୨୧/୦୧(ପିପିଟି): ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୬ ର ସବ୍- କମିଟି -୩ ର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ଏକ ଦଳ ୧୭ ଜାନୁଆରୀ ରୁ ୨୨ ଜାନୁଆରୀ ପର୍ଯ୍ୟନ୍ତ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ଆଜି ଏହି କମିଟି ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ଢ଼ାଲି ଏବଂ ଏହାର ସଦସ୍ୟ ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରି ଜିଲ୍ଲା ପରିଦର୍ଶନ କରିଛନ୍ତି। ଏହି କମିଟି ଜିଲ୍ଲାର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସମବାୟ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ କୁଟୀର ଶିଳ୍ପ ବିଭାଗର କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ବିଶାଲ ସିଂ ଓ କ୍ଷେତ୍ର ଅଧିକାରୀଙ୍କ ସହ ସମୀକ୍ଷା ଆଲୋଚନା କରିଛନ୍ତି । ଏହି ଅବସରରେ ଡ଼ଃ ଢ଼ାଲି ମଣ୍ଡିରେ ଠିକ୍ ରେ ଧାନ ବିକ୍ରି ହେଉଛି ନା ନାହିଁ, ମିଲରମାନେ ଠିକ୍ ସମୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରୁଛନ୍ତି ନା ନାହିଁ, ସେହି ବିଷୟରେ ପଚାରି ବୁଝିଥିଲେ। ଏହା ସହିତ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟ ମାନେ ଏମଭି-୧୧ ମଣ୍ଡି ଗସ୍ତ କରି ଧାନ ବିକ୍ରି ନେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ,ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ରଥ ଏଆରସିଏସରୁ ଅର୍ଜୁନ ମହନ୍ତ ଉପସ୍ଥିତ ଥିଲେ ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)