ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ।

0 273

ମାଲକାନଗିରି,ତା:୧୧/୧୦(ପିପିଟି):ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ଶିଶୁ ବିକାଶ ଯୋଜନାରେ ନିଯୁକ୍ତି ଦିଆଯାଉଥିବା ଅଙ୍ଗନବାଡି କର୍ମୀ ପଦବୀ ରେ ହୋଇଥିବା ଅନିୟମିତତାର ପ୍ରତିବାଦରେ ଆଜି କାମବେଡା ଗ୍ରାମର ଶତାଧିକ ଲୋକେ କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହ ବିଡ଼ିଓଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ -କାମବେଡା ୱାର୍ଡ ନମ୍ବର-୨ରେ ବିଭାଗ ପକ୍ଷରୁ ଯେଉଁ ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି ତାହା ଗ୍ରାମବାସୀଙ୍କ ବିରୁଦ୍ଧରେ ପ୍ରଶାସନ ଜବରଦସ୍ତ କରି ବେଆଇନ ଭାବେ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ।ଯାହା ଫଳରେ ଆମ୍ଭ ଗାଁ ର ଜଣେ ଶିକ୍ଷିତ ନିରୀହ ଆଦିବାସୀ ଝିଅ ଲଳିତା ମାଡକାମୀଙ୍କୁ ଅଙ୍ଗନୱାଡି କର୍ମୀ ନିଯୁକ୍ତିରୁ ବଞ୍ଚିତ କରାଯାଇଛି ।ତେବେ ପ୍ରଶାସନ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଉଚିତ ନ୍ୟାୟ ପ୍ରଦାନ କରିବାକୁ ଉକ୍ତ ଦାବିପତ୍ର ମାଧ୍ୟମରେ ନିବେଦନ କରିଥିବା ଉଲ୍ଲେଖ ରହିଛି । ଦାବି ପତ୍ର ପ୍ରଦାନ ସମୟରେ କାମବେଡା ଗ୍ରାମର ନନ୍ଦ କିଶୋର ସୋଡି,ଜଗଦିଶ ମାଡି, ମୁକା କବାସୀ, ସୋମନାଥ ପଡ଼ିଆମୀ, ଲାକା ମାଡକାମୀ, ଗଙ୍ଗା ପଡ଼ିଆମୀ, ବିପୁଲ ବିହାରୀ ସିକାଦର, ଅଜୟ ମାଡକାମୀ, ନନ୍ଦା ମାଡକାମୀଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ସୂଚନା ଥାଉକି ଏଭଳି ଘଟଣା ପୂର୍ବରୁ ନୀଳାକାମ୍ବେରୁ (କ ) କେନ୍ଦ୍ରରେ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏହାର ପ୍ରତିବାଦରେ ଅଙ୍ଗନବାଡି କେନ୍ଦ୍ରରେ ଗ୍ରାମବାସୀ ତାଲା ପକାଇ ଥିବା ଭଳି ଘଟଣା ନଜିର ରହିଥିବା ବେଳେ, ପୁଣି ଥରେ ଗତ ସପ୍ତାହରେ ଚିତାପାରି-୩ ପଞ୍ଚାୟତର ପୁରୁଣା ବାଲିମେଳା ଗ୍ରାମରେ ରହିଥିବା ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ଜାଣିବା ପରେ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଠୁଙ୍କି ଦେଇଥିଲେ। ଏହି ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାନୀୟ ଜଣେ ଶିକ୍ଷିତ ଯୁବତୀ ଆବେଦନ କରିଥିବା ବେଳେ ବାହାର ଅଞ୍ଚଳରୁ ଜଣେ ଯୁବତୀକୁ ଏଠାରେ ନିଯୁକ୍ତି ଦିଆଯାଇଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମରେ ଜଣେ ଶିକ୍ଷିତ ଏବଂ ଗରିବ ଝିଅ ରହିଥିବାରୁ ତାଙ୍କୁ ହିଁ ଏହି ପଦବୀ ଦେବା ନିୟମ ରହିଥିବା ବେଳେ ଅନ୍ୟ କେନ୍ଦ୍ରରେ ମିନି ଅଙ୍ଗନବାଡି କର୍ମୀ ପଦବୀ ପାଇଁ ଯୋଗ୍ୟ ବିବେଚିତ କରିଥିବା ଶୁଣିବା ପରେ ଏଥିରେ ଅସନ୍ତୋଷ ହୋଇ ପୁରୁଣା ବାଲିମେଳା ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରି ଉକ୍ତ କେନ୍ଦ୍ରକୁ ତାଲା ପକାଇବା ସହ ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ତିନୋଟି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ବିଭାଗୀୟ ଅଧିକାରୀମାନେ ମନମୁଖି ଶାସନ ଚଳାଇଥିବା ତିନି ଗୋଟି ଗ୍ରାମର ଲୋକ ଅଭିଯୋଗ କରିଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରାଥିକୁ ନିଯୁକ୍ତି ଦିଆଯାଇ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଗାଣ ଲୋକମାନେ ଚେତାବନୀ ଦେଇଛନ୍ତି। ଏନେଇ କୋରକୋଣ୍ଡା ସିଡିପିଓ ନୀଳିମା ରାନୀ ମଣ୍ଡଲଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ନିଯୁକ୍ତିରେ ନିୟମ ଅନୁସାରେ କରାଯାଇଛି । ଏ ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କାରାଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.