ଭୁବନେଶ୍ୱର,୦୯/୦୮(ପିପିଟି): ରାଜ୍ୟର ଚିକିତ୍ସା ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ଏକ ଗୌରବମୟ ସଫଳତା। ଇଣ୍ଡିଆନ ଇନ୍ଷ୍ଟିଟ୍ୟୁସିନାଲ ରାଙ୍କିଂ ଫ୍ରେମୱାର୍କ ( Indian Institutional Ranking Framework) (IIRF)-୨୦୨୬ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି।
କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ୧୫ତମ ସ୍ଥାନ, ବୁର୍ଲାସ୍ଥିତ ଭିମସାର ୬୪ତମ ସ୍ଥାନ ଏବଂ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ୭୪ତମ ସ୍ଥାନ ହାସଲ କରିଛି।
ପ୍ରଥମ ଥର ପାଇଁ ଓଡ଼ିଶାର ଏକ ସରକାରୀ ମେଡିକାଲ କଲେଜ ଏହାର ଏମ୍ସ ସମକକ୍ଷ ଏମ୍ସ ଭୁବନେଶ୍ୱରକୁ ପଛରେ ପକାଇ ଏହି ରାଙ୍କିଂରେ ଆଗରେ ରହିଛି । ଏସସିବି ୧୫ତମ ସ୍ଥାନରେ ଥିବ ବେଳେ ୧୬ତମ ସ୍ଥାନରେ ଏମ୍ସ ଭୁବନେଶ୍ୱର ଅଛି |ଏହା ରାଜ୍ୟର ସରକାରୀ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ବଢ଼ୁଥିବା ଗୁଣାତ୍ମକ ମାନର ପ୍ରମାଣ।
ଏହି ସଫଳତା ପାଇଁ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ସ୍ଥାନ ପାଇଥିବା ମେଡିକାଲ କଲେଜର ସମସ୍ତ ଡାକ୍ତର, ଶିକ୍ଷକ, ଛାତ୍ରଛାତ୍ରୀ, ନର୍ସିଂ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, ” ଏହି ରାଙ୍କିଂ ଆମ ପାଇଁ କେବଳ ଏକ ସଫଳତା ନୁହେଁ, ବରଂ ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡ଼ିକୁ ଜାତୀୟସ୍ତରରେ ଆହୁରି ଉଚ୍ଚ ସ୍ଥାନକୁ ନେବା ପାଇଁ ଏକ ପ୍ରେରଣା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଚିକିତ୍ସା ଶିକ୍ଷା, ଗବେଷଣା, ଆଧୁନିକ ଭିତ୍ତିଭୂମି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଦିଗରେ ନିରନ୍ତର ପ୍ରୟାସରତ ଏବଂ ଏହି ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି |