କଲ୍ୟାଣ ମଣ୍ଡପ ଶିଳାନ୍ୟାସ ଫଳକରୁ ଅଧ୍ୟକ୍ଷାଙ୍କ ନାମ ଗାଏବ;ପ୍ରଶାସନର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ ।

ବେଗୁନିଆପଡ଼ା,୨୩/୧୦(ପିପିଟି): ନିଜ ପଞ୍ଚାୟତରେ ନିଜେ ଅଣଦେଖା । ଯେଉଁ ପଞ୍ଚାୟତରୁ ସମିତିସଭ୍ୟ। ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷା ଆସନରେ ବସିଛନ୍ତି, ସେହି ପଞ୍ଚାୟତରେ ଏକ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତରରେ ତାଙ୍କ ନାଁ ବାଦ ପଡ଼ିବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବଡ଼ଖଇରଖମା ପଞ୍ଚାୟତ ଅନ୍ତର୍ଗତ ରାଗପୁର ଗାଁରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ନାମ ତାଲିକାରେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ବିଡିଓ ସୁନିଲ କୁମାର ସାମନ୍ତ, ସରପଞ୍ଚ କାଶିନାଥ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରକାଶ ଜେନା ଏବଂ କନିଷ୍ଠ ଯନ୍ତ୍ରୀ ଇଂ. ଦୀପକ କୁମାର ମଲ୍ଲିକଙ୍କ ନାଁ ରହିଥିବା ବେଳେ ବ୍ଲକ ଅଧ୍ୟକ୍ଷା ରେଣୁବାଳା ଗୌଡ଼ଙ୍କ ନାଁ ନଥିବା ଜଣାପଡ଼ିଛି। ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ଅଧ୍ୟକ୍ଷା ରେଣୁବାଳା ଗୌଡ଼ ଅନ୍ୟ କୌଣସି ପଞ୍ଚାୟତର ନୁହନ୍ତି; ସେ ସେହି ପଞ୍ଚାୟତରୁ ସମିତିସଭ୍ୟ। ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷା ହୋଇଛନ୍ତି। ତେଣୁ ନିଜ ନିର୍ବାଚନୀ ଅଞ୍ଚଳରେ ହେଉଥିବା ଏକ ଉନ୍ନୟନମୂଳକ କାର୍ଯ୍ୟରେ ତାଙ୍କ ନାଁ ନରହିବାକୁ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି। ଏନେଇ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ କ୍ଷମତାର ଉପଯୋଗ କରି ଏଭଳି କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଅଧ୍ୟକ୍ଷାଙ୍କ ନାଁ ବାଦ ଦେବାକୁ କିଏ ନିଷ୍ପତ୍ତି ନେଲା , ନାମ ତାଲିକା ପ୍ରସ୍ତୁତ କରିବା ସମୟରେ ପ୍ରଶାସନ କେଉଁ ନିୟମ ଅନୁସରଣ କରିଥିଲା? ଜଣେ ନିର୍ବାଚିତ ବ୍ଲକ ଅଧ୍ୟକ୍ଷାଙ୍କ ନାଁ ନରହିବା ପଛରେ ପ୍ରଶାସନିକ ତ୍ରୁଟି ରହିଛି, ନା ଏହା ଏକ ସଚେତନ ନିଷ୍ପତ୍ତି? ଯଦି ଏହା ତ୍ରୁଟି, ତେବେ ଦାୟୀ କିଏ? ଯଦି ଜାଣିଶୁଣି ଏପରି କରାଯାଇଛି, ତେବେ ଏହାର କାରଣ କ’ଣ । ସରକାରୀ ଉନ୍ନୟନମୂଳକ କାର୍ଯ୍ୟରେ ସ୍ୱଚ୍ଛତା ଓ ନିରପେକ୍ଷତା ରହିବା ଜରୁରୀ। ଜନପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ପ୍ରୋଟୋକଲ୍‌ ପାଳନ କରିବା ପ୍ରଶାସନର ଦାୟିତ୍ୱ।ଏଭଳି ସ୍ଥିତିରେ ନିଜ ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷାଙ୍କ ନାଁ ବାଦ ପଡ଼ିବା ଘଟଣାରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ସ୍ପଷ୍ଟୀକରଣ ଆବଶ୍ୟକ। ନିଜ ପଞ୍ଚାୟତରେ ଅଧ୍ୟକ୍ଷାଙ୍କୁ ଅଣଦେଖା କରାଗଲା କାହିଁକି ପ୍ରଶାସନ ଏହାର ଉତ୍ତର ଦେବ କି? ଏହି ପ୍ରଶ୍ନ ଏବେ ସ୍ଥାନୀୟ ମହଲରେ ଚର୍ଚ୍ଚାକୁ ଆହୁରି ତୀବ୍ର କରିଥିବା ବେଳେ ବ୍ଲକ ବିଭାଗୀୟ ଯନ୍ତ୍ରୀ ଦୀପକ କୁମାର ମଲିକ କହିଛନ୍ତି ମୁଁ ଏ ବିଷୟ ରେ କିଛି ଜାଣିନାହିଁ, ଫାଇଲ ଓପେନ ହେଲେ ମୋ କାମ ଏଣୁ ବର୍ତ୍ତମାନ ସେ ବିଷୟ ରେ କିଛି କହିପାରିବି ନାହିଁ । ସହାୟକ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ମତାମତ ନେବାରେ ସେ କହିଛନ୍ତି ଯେ ଏହି କାମ ବ୍ଲକର ନୁହଁ ଏଣୁ ମୁଁ କିଛି ଜାଣିନାହିଁ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment