କେନ୍ଦୁଝର, ୦୩/୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଏକ ଲଜ୍କୁ ଡାକି ଦୁଷ୍କର୍ମ କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏନେଇ ସୋସୋ ଥାନା ପୁଲିସ କେସ୍ ନଂ ୧୮୨/୨୬ରେ ମାମଲା ରୁଜୁ କରି ମୁଣ୍ଡୁକାଟି ଗ୍ରାମର ରଞ୍ଜନ ସେଠୀ (୨୯)ଙ୍କୁ ଅଟକ ରଖି ପଚରାଉଚରା କରୁଛି ବୋଲି ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା କହିଛନ୍ତି।
ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣକ କୌଣସି ବାହାନାରେ ଛାତ୍ରୀଙ୍କୁ ଏକ ଲଜ୍କୁ ଡାକିଥିଲେ। ସେଠାରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ନେଇ ଛାତ୍ରୀଜଣକ ଅଭିଯୋଗ କରିଛନ୍ତି। ପୀଡ଼ିତା ଶାଳପଡ଼ା ମହିଳା ମହାବିଦ୍ୟାଳୟର ଛାତ୍ରୀ ବୋଲି ଜଣାପଡ଼ିଛି। ଅଭିଯୋଗକାରିଣୀ ଓ ଅଭିଯୁକ୍ତଙ୍କ ଘର ମଧ୍ୟ ପାଖାପାଖି ଅଞ୍ଚଳରେ ବୋଲି ପୁଲିସ କହିଛି।
ଆଇନ ଅନୁଯାୟୀ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ଘଟଣାର ସମସ୍ତ ଦିଗ, ଅଭିଯୋଗର ସତ୍ୟତା ଓ ଅନ୍ୟାନ୍ୟ ସମ୍ପୃକ୍ତ ତଥ୍ୟ ଯାଞ୍ଚ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।