ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ।

ମାଲକାନଗିରି,୦୨/୧୦(ପିପିଟି):ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥତଷ ସମଗ୍ର ଶିକ୍ଷା ଅଭିଯାନ ପରିସରରେ ଜିଲ୍ଲା ପ୍ରତିଷ୍ଠା ଦିବସ, ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।
ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ଜିଲ୍ଲାବାସୀଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ।ସେ କହିଥିଲେ ଗାନ୍ଧୀଜୀଙ୍କ ବିକଶିତ ଭାରତର ସ୍ୱପ୍ନ ଓ ଆଦର୍ଶକୁ ଆଧାର କରି ଆଜି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଜରିଆରେ ମାଲକାନଗିରି ଜିଲ୍ଲା ବିକାଶ ପଥରେ ଆଗେଇ ଚାଲିଛି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ ଆମ ସମସ୍ତଙ୍କୁ ଏକ ସମୃଦ୍ଧ ଓ ସଶକ୍ତ ମାଲକାନଗିରି ଗଠନ ପାଇଁ ପ୍ରେରଣା ଯୋଗାଇ ଦେଇଛି । ଏହି ଉତ୍ସବରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ସିଡିଇ ଜିଲ୍ଲା ପରିଷଦ ଦାଶରଥି ସରାବୁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଉପସ୍ଥିତ ଥିଲେ। ଏଥିସହିତ ଖ୍ରୀଷ୍ଟିଆନ୍‌ ଧର୍ମଗୁରୁ ଫାଦର ଲାଲୁ ତୁଷାର ପାଣି, ହିନ୍ଦୁ ପୂଜକ ସନ୍ତୋଷ ପଣ୍ଡା ଏବଂ ବୌଦ୍ଧ ଧର୍ମର ପ୍ରତିନିଧି ଦେଶୀ ରାଜୁ ଆଚାରୀ ଯୋଗଦେଇ ସର୍ବଧର୍ମ ପ୍ରାର୍ଥନା ସହ ଶାନ୍ତି ଓ ଭାଇଚାରାର ବାର୍ତ୍ତା ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ )

Comments (0)
Add Comment