ଭୁବନେଶ୍ୱର, ୦୨/୧୦(ପିପିଟି ):ବାଲିଅନ୍ତା ଥାନା ଅଞ୍ଚଳରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଦାୟର ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବା ପାଇଁ ତାଙ୍କ ପିତା ଦୁଃଶାସନ ସ୍ୱାଇଁ ଆବେଦନ କରିଛନ୍ତି। ତାଙ୍କ ଅଜାଣତରେ ଏବଂ ସମ୍ମତି ବିନା ତାଙ୍କ ନାମରେ ମାମଲା ଦାୟର ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଦୁଃଶାସନ ସ୍ୱାଇଁଙ୍କ ସହ ସୌମ୍ୟରଞ୍ଜନଙ୍କ ବନ୍ଧୁ ନିଶିକାନ୍ତ ମହାନ୍ତି ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଉଭୟଙ୍କ କହିବା ଅନୁଯାୟୀ, ମାମଲା ଦାୟର କରିବା ଲାଗି ସେମାନେ କୌଣସି ସମ୍ମତି ଦେଇନଥିଲେ। ଏପରିକି ଦୁଃଶାସନ ସ୍ୱାଇଁଙ୍କ ଜାଲ୍ ଦସ୍ତଖତ ବ୍ୟବହାର କରି ମାମଲା ଦାୟର କରାଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗକୁ ନେଇ ସୌମ୍ୟରଞ୍ଜନଙ୍କ ପିତା ଓ ତାଙ୍କ ବନ୍ଧୁ ଗୁରୁବାର ହାଇକୋର୍ଟରେ ଷ୍ଟେଟ୍ ବାର୍ କାଉନସିଲ୍ର ଅଧିକାରୀମାନଙ୍କୁ ଭେଟିଥିବା ଜଣାପଡ଼ିଛି। ସେମାନେ ଏନେଇ ଏକ ଅଭିଯୋଗପତ୍ର ମଧ୍ୟ ଦାଖଲ କରିଥିବା କୁହାଯାଇଛି। ସମ୍ପୃକ୍ତ ଓକିଲ ମାମଲାଟିକୁ ପ୍ରତ୍ୟାହାର କରିବା କଥା କହିଥିବା ନିଶିକାନ୍ତ ମହାନ୍ତି କହିଛନ୍ତି।
ଏହି ଘଟଣା ପରେ ମାମଲାଟି କିପରି ଦାୟର ହୋଇଥିଲା ଏବଂ କାହାର ସମ୍ମତିରେ ଏହା ଦାଖଲ ହୋଇଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ସୌମ୍ୟରଞ୍ଜନଙ୍କ ମୃତ୍ୟୁର ସଠିକ୍ ତଦନ୍ତ ଓ ନ୍ୟାୟ ଦାବି କରି ପରିବାର ପୂର୍ବରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନେଇଥିଲା। ଏବେ ହାଇକୋର୍ଟରେ ଦାୟର ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ ଘଟଣାକୁ ନୂଆ ଦିଗ ଦେଇଛି।
ଅନ୍ୟପକ୍ଷରେ, ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ୍ (ଏନ୍ଏଚ୍ଆର୍ସି)ଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଏନେଇ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ମଧ୍ୟ ଇ-ମେଲ୍ ଯୋଗେ ଅବଗତ କରାଇଥିବା ଦାବି କରିଛନ୍ତି।
ଶ୍ରୀ ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ, କ୍ରାଇମ୍ବ୍ରାଞ୍ଚ ତଦନ୍ତରେ ବିଳମ୍ବ ହେଉଥିବାରୁ ମାମଲା ସହ ଜଡ଼ିତ ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିଛି। ଘଟଣାର ଗୁରୁତ୍ୱକୁ ବିଚାରକୁ ନେଇ ଏନ୍ଏଚ୍ଆର୍ସି ସିବିଆଇ ତଦନ୍ତ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।