ଧର୍ମଶାଳାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ।

ଯାଜପୁର, ୦୨/୧୦(ପିପିଟି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଛି। ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଜେନାପୁର ଗ୍ରାମପଞ୍ଚାୟତର ମେଡିକାଲ ବଜାରଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସିଦ୍ଧେଶ୍ୱର ମନ୍ଦିରଠାରେ ଶେଷ ହୋଇଥିଲା। ମଧ୍ୟାହ୍ନ ୧୨ଟା ୩୦ରୁ ଆରମ୍ଭ ହୋଇ ପଦଯାତ୍ରାଟି ଅପରାହ୍ଣ ୨ଟାରେ ଶେଷ ହୋଇଥିଲା। ଏଥିରେ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ପ୍ରଣବ ବଳବନ୍ତରାୟଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ। ବିଭିନ୍ନ ଗାଁ ଦେଇ ଯିବା ସମୟରେ  ବଳବନ୍ତରାୟ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା-ଅସୁବିଧା ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ପଦଯାତ୍ରା ପରେ ଅନୁଷ୍ଠିତ ସଭାରେ ଧର୍ମଶାଳା ବ୍ଲକ ବିଜେଡି ସଭାପତି ପ୍ରସନ୍ନ ରାଉତ ସଭାପତିତ୍ୱ କରିଥିଲେ। ଜୋନ୍‌-୧୨ ସଂଯୋଜକ ପ୍ରହଲ୍ଲାଦ ପାତ୍ର, ଜେନାପୁର ଗ୍ରାମପଞ୍ଚାୟତ ବିଜେଡି ସଭାପତି ସଞ୍ଜୟ ନାୟକ, ବରିଷ୍ଠ କର୍ମୀ ଅଶୋକ ସାହୁ, ରାଜକିଶୋର ମହାନ୍ତି ଓ ଶ୍ୟାମସୁନ୍ଦର ପାତ୍ରଙ୍କ ସମେତ ଦଳର ଯୁବ, ଛାତ୍ର ଓ ମହିଳା ଶାଖାର କର୍ମୀମାନେ ଯୋଗ ଦେଇଥିଲେ। ବିଜେଡି ସମର୍ଥକ ଶତାଧିକ କର୍ମୀଙ୍କ ଯୋଗଦାନରେ ପଦଯାତ୍ରାଟି ସଫଳ ହୋଇଥିବା ଦଳୀୟ ନେତାମାନେ କହିଛନ୍ତି।

Comments (0)
Add Comment