ବୋଲଗଡ଼,୩୦/୯ (ପିପିଟି):ଶରତ ଆସିଛି। ନୀଳ ଆକାଶରେ ଧଳା ମେଘର ଭେଳା, ବିଲରେ ଦୋଳୁଛି କାଶତଣ୍ଡୀ, ଗାଁ ଦାଣ୍ଡରେ ଝରୁଛି ଶିଉଳି ର ଫୁଲ । ପ୍ରକୃତି ସଜେଇ ହୋଇଛି କାରଣ ସେ ଆସୁଛନ୍ତି।
ହଁ, ଆସୁଛନ୍ତି ମାଁ।
ମହାଳୟା ପରେ ପିତୃପକ୍ଷର ଅବସାନ, ଦେବୀପକ୍ଷର ଆରମ୍ଭ। ଘଣ୍ଟ କାହାଳୀ, ଶଙ୍ଖର ଶବ୍ଦରେ, ଏବେ ଗାଁ ଠୁ ସହର ଯାଏଁ ଗୁଞ୍ଜରିତ ହେଉଛି ଗୋଟିଏ ମନ୍ତ୍ର “ଆସୁଛନ୍ତି ମାଁ”
ସେ ଆଖି ଦୁଇଟି କେବଳ ଚିତ୍ର ନୁହେଁ, ଭରସା। ଯେଉଁ ଆଖିରେ ସନ୍ତାନ ପାଇଁ ମମତା ଅଛି, ଅସୁର ପାଇଁ ସଂହାର ଅଛି। କପାଳରେ ସେ ଲାଲ ସିନ୍ଦୂର ଟିପା ମାନେ ଶକ୍ତି, ମାନେ ନାରୀର ସମ୍ମାନ। ବର୍ଷ ସାରା ଦୁଃଖ, ଯନ୍ତ୍ରଣା, ଅଭାବକୁ ଭୁଲି ମଣିଷ ଏଇ କିଛି ଦିନ ମା’ ର ଆଞ୍ଚଳ ତଳେ ଶାନ୍ତି ଖୋଜେ।
କୁମ୍ଭାର ଶାଳରେ ମାଟିର ମୂର୍ତ୍ତିରେ ରଙ୍ଗ ଲାଗୁଛି, ମଣ୍ଡପେ ମଣ୍ଡପେ ବାଉଁଶ ବନ୍ଧା ଶେଷ ହେଲାଣି। ଆଉ କିଛି ଦିନର ଅପେକ୍ଷା, ତା’ପରେ ଶାରଦୀୟ ଦୁର୍ଗା ପୂଜା। ଧରାକୁ ଓହ୍ଲାଇ ଆସିବେ ମା’ ଦୁର୍ଗତିନାଶିନୀ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ