ଭଙ୍ଗା ଆଜବେଷ୍ଟ ଘରେ ଚାଲିଛି ଆୟୁର୍ବେଦ ଚିକିତ୍ସା, ନୂଆ କୋଠା ପାଇଁ ଦାବି ।

ବେଗୁନିଆପଡା,୩୦/୦୯(ପିପିଟି):“ସ୍ୱାସ୍ଥ୍ୟ ହିଁ ସମ୍ପଦ”, ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ତାଳସରରେ ଏହାର ଚିତ୍ର ଭିନ୍ନ। ଦୀର୍ଘବର୍ଷ ଧରି ଭଙ୍ଗା ଆଜବେଷ୍ଟ ଘର ଓ ପଲିଥିନ ତଳେ ଚାଲିଛି ସରକାରୀ ଆୟୁର୍ବେଦ ଚିକିତ୍ସାଳୟ। ତାଳସରରେ ଥିବା ଏହି ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ୧୯୬୨ ମସିହାରୁ ଅଞ୍ଚଳବାସୀଙ୍କୁ ସେବା ଯୋଗାଇ ଆସୁଛି। ହେଲେ ଦୀର୍ଘ ୬ ଦଶନ୍ଧିରୁ ଅଧିକ ସମୟ ଧରି ଲୋକଙ୍କୁ ଚିକିତ୍ସା ଯୋଗାଇ ଆସୁଥିବା ଆୟୁର୍ବେଦ ଚିକିତ୍ସାଳୟ ଏବେ ଭାଙ୍ଗିରୁଜି ଗଲାଣି । ଏବେ ଭଙ୍ଗା ଆଜବେଷ୍ଟ ଘରେ ରୋଗୀଙ୍କ ଚିକିତ୍ସା ଚାଲିଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ସୁରକ୍ଷିତ ଭାବେ ରଖିବାରେ ସମସ୍ୟା ହେଉଥିବା କାର୍ଯ୍ୟରତ ଚିକିତ୍ସାଧିକାରୀ କହିଛନ୍ତି। ଏହି ଚିକିତ୍ସାଳୟ ଉପରେ ଆଖପାଖର ପ୍ରାୟ ୫ଟି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ଜଣେ ଡାକ୍ତର, ଜଣେ ଆୟୁର୍ବେଦ ସହାୟକ ଏବଂ ଅନ୍ୟ ଦୁଇଜଣ କର୍ମଚାରୀଙ୍କୁ ନେଇ ବର୍ତ୍ତମାନ ଚିକିତ୍ସାସେବା ଚାଲିଛି। କେବଳ ଚିକିତ୍ସାଳୟ ନୁହେଁ, ଡାକ୍ତରଙ୍କ କ୍ୱାର୍ଟର ମଧ୍ୟ ଦୀର୍ଘଦିନ ଧରି ଅବ୍ୟବହୃତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଫଳରେ ରାତି ସମୟରେ ଡାକ୍ତର ଓ କର୍ମଚାରୀଙ୍କ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ଏହା ସହିତ ଆବଶ୍ୟକୀୟ ସ୍ୱାସ୍ଥ୍ୟ ଉପକରଣର ଅଭାବ ମଧ୍ୟ ଚିକିତ୍ସାସେବାକୁ ପ୍ରଭାବିତ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦୀର୍ଘବର୍ଷ ଧରି ସମସ୍ୟା ଲାଗିରହିଥିବାରୁ ତାଳସର ଆୟୁର୍ବେଦ ଚିକିତ୍ସାଳୟ ପାଇଁ ତୁରନ୍ତ ନୂତନ କୋଠା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହା ସହିତ ଡାକ୍ତରଙ୍କ କ୍ୱାର୍ଟର ନିର୍ମାଣ ଏବଂ ଆବଶ୍ୟକୀୟ ଚିକିତ୍ସା ଉପକରଣ ଯୋଗାଇ ଦିଆଗଲେ ଅଞ୍ଚଳବାସୀଙ୍କୁ ଅଧିକ ସୁବିଧାଜନକ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିପାରିବ ବୋଲି ସେମାନେ କହିଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment