କେରଳରେ ଓଡ଼ିଆ ଯୁବକଙ୍କ ମୃତ,ସହାୟତା ପାଇଁ ନିବେଦନ କଲେ ଗ୍ରାମବାସୀ ।

ବେଗୁନିଆପଡ଼ା ,୨୨/୦୯(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଅନ୍ତର୍ଗତ ତାଳସର ପଞ୍ଚାୟତ ଖିଡିଙ୍ଗୀ ଗ୍ରାମର ଆଶିଷ ପ୍ରଧାନ (୨୫) କାମ କରି ପରିବାର ପ୍ରତିପୋଷଣ ପାଇଁ ସୁଦୂର କେରଳ ରାଜ୍ୟକୁ ଯାଇଥିଲେ । ସୂଚନା ଅନୁଯାୟୀ ଗତ ରବିବାର ଦିନ କାମ ବନ୍ଦ ଥିବା ଯୋଗୁ ସେ ତାଙ୍କ ସାଙ୍ଗମାନଙ୍କ ପାଖକୁ ବୁଲିବା ପାଇଁ ଯାଇଥିଲେ । ସାଙ୍ଗମାନଙ୍କ ସହ ଫେରୁଥିବା ବେଳେ ରାସ୍ତାରେ ଏକ ପୋଖରୀ ଦେଖି ଗାଧୋଇବା ପାଇଁ ଯାଇଥିଲେ। ହଟାତ ତାର ଗୋଡ଼ ଖସି ଯିବାରୁ ସେହି ପୋଖରିରେ ବୁଡ଼ି ସେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏନେଇ ତାଙ୍କ ସାଙ୍ଗମାନେ ନିକଟସ୍ଥ ଥାନାରେ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ଉକ୍ତ ପୋଖରୀରୁ ଆଶିଷର ମୃତ ଦେହ ଉଦ୍ଧାର କରିଥିଲେ । ପରେ ତାକୁ ମେଡିକାଲ୍ ନେଇ ଶବ ବ୍ୟବଚ୍ଛେଦ ହୋଇଥିଲା । ଆଜି ତାଙ୍କ ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଅଣାଯାଉଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଘରେ ତାଙ୍କର ବୃଦ୍ଧା ବାପା,ମା ଅଛନ୍ତି । ତିନି ଭଉଣୀଙ୍କ ବିବାହ ହୋଇଯାଇଛି । ଏକ ମାତ୍ର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ବୃଦ୍ଧା ବାପା,ମା ଦୁଃଖରେ ଭାଙ୍ଗି ପଡିଛନ୍ତି । ଏନେଇ ଖିଡିଙ୍ଗୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତ ଆଶିଷଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment