ନିଆରାଢଙ୍ଗରେ ଜନ୍ମଦିନ ପାଳନ କଲେ ଆକାଶ

ଯାଜପୁର ,୧୭/୦୯(ପିପିଟି): ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖ । ପ୍ରତିବର୍ଷ ଏହିଦିନ ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି । ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ, ମୁକବଧୀର ବିଦ୍ୟାଳୟ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି । ଏହି ବର୍ଷ ଆକାଶ ଆଜି ସକାଳ ୯ ଘଟିକା ସମୟରେ ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ସକାଳ ୯.୯୦ ମିନିଟ୍ ସମୟରେ ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଗୋଶାଳାରେ ଗୋମାତାଙ୍କୁ ପୂଜାର୍ଚ୍ଚନା କରି ଖାଦ୍ୟ ଖୁଆଇଥିଲେ । ତା’ପରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସଂକଳ୍ପ ଅଭିଯାନରେ ଆଶୀର୍ବାଦ ଦୀପ ବ୍ୟାସସରୋବର ରାଘୁଜୀ ମନ୍ଦିରରେ ସମୂହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସକାଳ ୧୧ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ତାଙ୍କ ବ୍ୟାସନଗର ସ୍ଥିତ ବାସଭବନରେ ଦଳୀୟ କର୍ମୀ ଓ ଶୁଭେଚ୍ଛୁମାନେ ଜନ୍ମଦିନ ପାଳନ କରିଥିଲେ । ତା’ପରେ ପାଣିକୋଇଲି ଜାଗୁଳାଇ ମନ୍ଦିରରେ ଜନ୍ମଦିନ ପାଳନ କରିଥିଲେ । ସେଠାରେ ସମୂହ ଆଶୀର୍ବାଦ ଦୀପ ପ୍ରଜ୍ୱଳନ କରିଥିଲେ । ତା’ପରେ କୁଆଖିଆ ଠାରେ କର୍ମୀମାନେ ଓ ଶୁଭେଚ୍ଛୁମାନେ ଜନ୍ମଦିନ ପାଳନ କରିଥିଲେ । ତା’ପରେ ଏହି ବର୍ଷ ପ୍ରତିବର୍ଷ ପରି ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆକାଶ ତାଙ୍କ ଜନ୍ମଦିନ ଉପଲକ୍ଷେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ପାଇଁ ଆଖି ପରୀକ୍ଷା ଶିବିର ଆୟୋଜନ କରିଥିଲେ । ପିଲାମାନଙ୍କର ଆଖି ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ବିନା ଦେୟରେ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ‘ଗୁଡ୍ ଟଚ୍ ବ୍ୟାଡ୍ ଟଚ୍‌’ ବିଷୟରେ ଡାକ୍ତର ଗାର୍ଗୀ ସୁମନ ତ୍ରିପାଠୀ ସଚେତନ କରାଇଥିଲେ । ଜନ୍ମଦିନରେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ । ମୁକବଧୀର ବିଦ୍ୟାଳୟର କର୍ମକର୍ତା ଓ ପିଲାମାନେ ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଆକାଶଙ୍କୁ ପାଖରେ ପାଇ ପିଲାମାନେ ବହୁତ ଖୁସି ହେବା ସଂଗେ ସଂଗେ ତାଙ୍କ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସୀଥିଲେ ଏବଂ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ଆକାଶ ମୁକବଧୀର ପିଲାମାନଙ୍କ ସହ ଖୁସି ବାଂଟିଥିଲେ । ସେ କହିଥିଲେ – “ଖୁସି ବାଂଟିଲେ ଖୁସି ବଢେ” । ଏହି କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ କହିଥିଲେ ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସମସ୍ତେ ନିଜର କର୍ମମୟ ଜୀବନରୁ ଟିକେ ସମୟ ବାହାରକରି ସେମାନଙ୍କୁ ସହଯୋଗ କଲେ ସେମାନଙ୍କ ମୁହଁରେ ହସ ଫୁଟିପାରିବ । ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସମସ୍ତେ ଜନ୍ମଦିନରେ ତାଙ୍କ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ନିକଟରେ ଶୁଭମନାସୀ ଥିଲେ ।

Comments (0)
Add Comment