ପୋଲସରା,୧୫/୦୯ (ପିପିଟି):ଚଳିତ ଭାଦ୍ରବ ପବିତ୍ର ଚତୁର୍ଥୀ ଦିବସରେ ପୋଲସରା ଅଞ୍ଚଳର ବହୁ ଧୁମ୍ ଧାମ୍, ବର୍ଣ୍ଣାଢ଼୍ୟ ରଙ୍ଗୀନ ଆଲୋକରେ ସୁସଜ୍ଜିତ ବିଭିନ୍ନ ସ°ଗଠନ , ସମସ୍ତ ଶିକ୍ଷାନୁଷ୍ଠାନ, ବଜାର, ପ୍ରତ୍ୟେକ ସାହି, ବ୍ୟାଙ୍କ ଗୁଡ଼ିକରେ ବିଘ୍ନରାଜ ଗଣେଶଙ୍କ ପର୍ବ ପାଳନ କରାଯାଉଅଛି । ପାଞ୍ଚ ଦିବସ ସକାଶେ ଛୁଟି ଅବସରରେ ବିଶେଷ କରି ଛୋଟ ଛୋଟ ପିଲା ଏବଂ ଯୁବଗର୍ବଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି । ଫଳରେ ଉମାସୂତ ଶ୍ରୀ ଗଣେଶଙ୍କ ପୂଜା ସର୍ବତ ବହୁ ଉତ୍ସାହ ଉଦ୍ଧୀପନା ଏବଂ ଭକ୍ତିଭାବ ସହକାରେ ହେଉଥିବାର ଦେଖିବାକୁ ମିଳିଛି। ପ୍ରତିଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ଷୋଡଶ ପୂଜା,ଆଳତି,ପୁଷ୍ପାଞ୍ଜଳି ସମୟରେ ପ୍ରବଳ ଜନଗହଳି ହେଉଥିବାର ଦେଖିବାକୁ ମିଳୁଛି। ବିଶେଷ କରି ପୋଲସରା ସହରର ପ୍ରତ୍ୟେକ ଗଳି କନ୍ଦି, ସାହି, ମୁଖ୍ୟସଡ଼କ ଉଭୟ ପାର୍ଶ୍ୱରେ ପ୍ରଭୂ ଲମ୍ବୋଦରଙ୍କ ପୂଜା ନିତିକାନ୍ତି ବିଧିବିଧାନ ପୂର୍ବକ କରାଯିବା ସହିତ ଆଧ୍ୟାତ୍ମିକ ଧାର୍ମିକ ଭଜନ,ସଂଗୀତ,ଘଣ୍ଟ ବାଦ୍ୟ କାହାଳୀ ଏବଂ ହୁଳହୁଳି ଶବ୍ଦରେ ସମଗ୍ର ପୋଲସରା ସହର ପ୍ରକମ୍ପିତ ହେଉଅଛି। ଭକ୍ତ, ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଏବଂ ପ୍ରସାଦ ସେବନ କରି ପ୍ରଭୁଙ୍କ ଦର୍ଶନ ଲାଭ କରି ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି। ସତେ ଯେପରି ସମଗ୍ର ପୋଲସରା ସହର ଏକ ନବବଧୂରେ ସଜେଇ ହୋଇଥିବାର ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରିଛି । ଚଳିତ ବର୍ଷ କେବଳ ପୋଲସରା ପୌର ପରିଷଦର ୨୧ ଗୋଟି ୱାର୍ଡରେ ଛୋଟ ବଡ଼ ମିଶି ଶତାଧିକ ସଂଖ୍ୟାରେ ମେଢ଼ ପୂଜା ପାଉଅଛି।ଆଇନ ଶୃଙ୍ଖଳା ଦୃଷ୍ଟିରୁ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ପାଟ୍ରୋଲିଂ ଜରିଆରେ ସତର୍କ ଦୃଷ୍ଟି ରଖାଯାଇଛି। ତେବେ ପରିବେଶ ଓ ପାଣିକୁ ଦୁଷିତ ହେବାରୁ ରକ୍ଷା କରିବାକୁ ସ୍ଵତନ୍ତ୍ର କୃତ୍ରିମ ଗାଡ଼ିଆ ଖୋଳାଯାଇ ସମସ୍ତ ମୂର୍ତ୍ତି ଗୁଡିକୁ ବିସର୍ଜନ କରିବାକୁ ପୋଲସରା ଜିଲ୍ଲା ମୂର୍ତ୍ତି କାରୀଗର, ପଟ୍ଟଚିତ୍ର ଓ ରଙ୍ଗତୁଳୀ କଳାକାର ସଙ୍ଘ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା