କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ।

ଭୁବନେଶ୍ୱର, ୨୦/୦୭(ପିପିଟି):କେଜିବିଭି ୱାର୍ଡେନଙ୍କ ନିମନ୍ତେ ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନଠାରେ ପାଞ୍ଚଦିବସୀୟ ପ୍ରଶିକ୍ଷଣ ଶୁଭାରମ୍ଭ ହୋଇଯାଇଛି । ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ (NIEPA), ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଓଡ଼ିଶା ର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ସଙ୍ଗୀତା ବେହେରା ଯୋଗ ଦେଇ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV)ର ୱାର୍ଡେନମାନଙ୍କୁ ଦକ୍ଷ, ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ । ଏଥିସହ ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସମାବେଶୀ, ସ୍ନେହପୂର୍ଣ୍ଣ ଓ ଶିକ୍ଷାନୁକୂଳ ଆବାସିକ ପରିବେଶ ସୃଷ୍ଟି କରିବା ହେଉଛି ୱାର୍ଡେନମାନଙ୍କ କର୍ତ୍ତବ୍ୟ । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଏକ ନିରାପଦ, ଶୃଙ୍ଖଳିତ, ଛାତ୍ରୀ-ଅନୁକୂଳ ଓ ଉଚ୍ଚମାନର ଆବାସିକ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ୱାର୍ଡେନମାନଙ୍କୁ ସକ୍ଷମ କରିବା ଏହି କର୍ମଶାଳାର ମୁଖ୍ୟ ଆଭିମୁଖ୍ୟ ବୋଲି ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି ।

ଓସେପାର୍ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ରାଉତ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ କହିଛନ୍ତି, ଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ସମୁଦାୟ ମଧ୍ୟରେ ଏକ ସକାରାତ୍ମକ ସମ୍ପର୍କ ଓ ସଫଳ ଯୋଗାଯୋଗ ସ୍ଥାପନ ହେବା ଉଚିତ୍ । ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପୋଷଣ ସୁରକ୍ଷା, ଋତୁସ୍ରାବ ସ୍ୱଚ୍ଛତା, ପରିମଳ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ୱାର୍ଡେନ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା ବିଭାଗର ଶାସନ ସଚିବ ସଞ୍ଜୟ କୁମାର, NIEPA ପ୍ରଫେସର୍ ଶଶିକଳା ୱାଞ୍ଜରି, ଯୁଗ୍ମ ସଚିବ ଅର୍ଚ୍ଚନା ଶର୍ମା ଅଗସ୍ଥି, ଉପ ସଚିବ ରାମ ନିବାସ, ଡକ୍ଟର ସାନ୍ତ୍ୱନା ଜି. ମିଶ୍ର, ଡକ୍ଟର କୁମାର ଗୌରବ, ଡକ୍ଟର ଇମ୍ରା କେରକେଟା ପ୍ରମୁଖ ଆଭାସୀ ଜରିଆରେ ଯୋଗଦେଇଥିଲେ । ଏହି ଅବସରରେ ଏକ ସହାୟକ ପୁସ୍ତିକାକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାଏଟର ଶିକ୍ଷକ ପ୍ରଶିକ୍ଷକ, ଏବଂ ଜିଲ୍ଲା ଜେଣ୍ଡର କୋର୍ଡିନେଟର ମାନେ ଯୋଗଦେଇଥିଲେ । କର୍ମଶାଳାରେ ରାଜ୍ୟର ୫ ଟି ଜିଲ୍ଲାରୁ ୭୦ରୁ ଉର୍ଦ୍ଧ୍ବ ୱାର୍ଡେନ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ମାନସୀ ଗୋସ୍ୱାମୀ, ପ୍ରଫେସର ରିତାଞ୍ଜଳି ଦାସ, ଡକ୍ଟର ସରିତା, ଓସେପା ର ରାଜ୍ୟ ଜେଣ୍ଡର କୋର୍ଡିନେଟର ଲହରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment