ମାଲକାନଗିରିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଆରମ୍ଭ ହେବ ଉଚ୍ଚତର ସିଲେଇ ତାଲିମ ।

ମାଲକାନଗିରି,୧୧/୦୭(ପିପିଟି):ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରାଯାଉଛି। ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ନେତୃତ୍ୱରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଆର୍ଥିକ ଉନ୍ନତି ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଦକ୍ଷତା ବୃଦ୍ଧିମୂଳକ କାର୍ଯ୍ୟକ୍ରମ ଉପରେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି।ଏହି କ୍ରମରେ ମାଲକାନଗିରି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଗୁପ୍ତ ମାଢ଼ି ଏବଂ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମାର୍କାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡ଼ାଭଟା ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ସେମାନେ ଗୁରୁପ୍ରିୟା ଟେଲରିଂ ପ୍ରୋଡ୍ୟୁସର ଗ୍ରୁପର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନଙ୍କ ସହ ସେମାନଙ୍କ ଜୀବିକା ଓ ଦକ୍ଷତା ବିଷୟରେ ଆଲୋଚନା କରିଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମହିଳାମାନଙ୍କୁ ବ୍ୟବସାୟିକ ସ୍ତରରେ ସଫଳ କରିବା ପାଇଁ ଖୁବ୍ ଶୀଘ୍ର ଏକ ଉଚ୍ଚତର ସିଲେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଜିଲ୍ଲାପାଳଙ୍କ ସୂଚାରୁ ନେତୃତ୍ୱରେ ପରିଚାଳିତ ଏହି ଅଭିଯାନ ଜିଲ୍ଲାର ପ୍ରାନ୍ତୀୟ ଅଞ୍ଚଳରେ ମହିଳା ସଶକ୍ତିକରଣ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment