ଉଣ୍ଡୁରୁକୋଣ୍ଡାରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ।

ମାଲକାନଗିରି, ୧୬/୦୬(ପିପିଟି):ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସମସ୍ୟାର ସରଳ ଓ ସ୍ଥାୟୀ ସମାଧାନ ପାଇଁ ଉଣ୍ଡୁରୁକୋଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ୍ ଯୋଗ ଦେଇ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଲୋକ ନିଜ ନିଜର ମୌଳିକ ସମସ୍ୟା ଓ ଅଭିଯୋଗ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଏବଂ ଏସପି ପ୍ରତ୍ୟେକ ଆବେଦନକୁ ଗମ୍ଭୀରତାର ସହ ଅନୁଧ୍ୟାନ କରିବା ସହିତ ତାହାର ତୁରନ୍ତ ଏବଂ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ଶିବିରରେ ଉପସ୍ଥିତ ଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଏହି ଶିବିରରେ ସମୁଦାୟ ୩୨ଟି ଅଭିଯୋଗ ପତ୍ର ବିଧିବଦ୍ଧ ଭାବେ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୮ଟି ବ୍ୟକ୍ତିଗତ ଅଭିଯୋଗ ଆସିଥିବା ବେଳେ ଗ୍ରାମାଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ, ପାନୀୟ ଜଳ, ରାସ୍ତାଘାଟ ଓ ଅନ୍ୟାନ୍ୟ ସାମୂହିକ ସମସ୍ୟାକୁ ଭିତ୍ତି କରି ୨୪ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗ ଆବେଦନ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।
ଲୋକଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବା ପରେ ସେଗୁଡ଼ିକର ସମୀକ୍ଷା କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।
ଅଭିଯୋଗ ଶୁଣାଣି ସହିତ ଏହି ଅବସରରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ନିମନ୍ତେ ଏକ ସ୍ୱତନ୍ତ୍ର କ୍ୟାମ୍ପର ମଧ୍ୟ ଆୟୋଜନ କରାଯାଇଥିଲା। ଏହି କ୍ୟାମ୍ପରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଉପସ୍ଥିତ ଯୋଗ୍ୟ ନାଗରିକମାନଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯିବା ସହିତ ଏହି ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ଓ ସଫଳତା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ସମେତ ସମସ୍ତ ଲାଇନ ବିଭାଗର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment