ଏସ୍.ଆର୍.ଏନ୍ ୟୁବି କେନ୍ଦୁବାଡ଼ିକୁ ମିଳିଲା “ପ୍ରକୃତି ମିତ୍ର ପୁରସ୍କାର” – ୨୦୨୬ ।

ପୋଲସରା ,୦୬/୦୬(ପିପିଟି): ପରିବେଶ ସୁରକ୍ଷାକୁ ନେଇ “ଏକ ପେଡ୍ ମା କେ ନାମ”, ବୃକ୍ଷ ରୋପଣ, ଚାରା ବଣ୍ଟନ, ସଚେତନତା ରାଲି, ପଥପ୍ରାନ୍ତ ନାଟକ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ନିଶାମୁକ୍ତ ଅଭିଯାନ, ବାଲ୍ୟ ବିବାହ ବନ୍ଦ ଶିଶୁ ଶ୍ରମିକ ବନ୍ଦ, ସ୍ଵଚ୍ଛ ଭାରତ ଅଭିଯାନ ଆଦି ଜନହିତ ଏବଂ ସମାଜ କଲ୍ୟାଣକୁ ନେଇ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର କେନ୍ଦୁବାଡ଼ି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଚଳିତ ଥର ଓଡ଼ିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ “ପ୍ରକୃତି ମିତ୍ର ପୁରସ୍କାର ୨୦୨୫-୨୬” ପ୍ରଦାନ କରାଯାଇଛି। ଚଳିତ ମାସ ୫ ତାରିଖ ଶୁକ୍ରବାର ଦିନ ବ୍ରହ୍ମପୁର, କୋର୍ଟପେଟା ସ୍ଥିତ ଗଞ୍ଜାମ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଦିଆଯାଇଛି। ବିଦ୍ୟାଳୟର ହିନ୍ଦୀ ବିଭାଗ ତଥା “ପ୍ରକୃତି ବନ୍ଧୁ” ପୁରସ୍କାରପ୍ରାପ୍ତ ବରିଷ୍ଟ ଶିକ୍ଷକ ହେମନ୍ତ କୁମାର ନାୟକ ଅନୁଷ୍ଠାନ ପକ୍ଷରୁ ପ୍ରତିନିଧି ଭାବେ ଯୋଗଦେଇ ଏହି ସମ୍ମାନଜନକ ପୁରସ୍କାର ସ୍ଵରୂପ ପ୍ରଶଂସା ପତ୍ର ସହ ଟ୍ରଫି ଗ୍ରହଣ କରିଥିଲେ।
ସମଗ୍ର ପୋଲସରା ବ୍ଲକରେ ପ୍ରଥମ ବିଦ୍ୟାଳୟ ଭାବେ ଏହି ଶିକ୍ଷାନୁଷ୍ଠାନ ପୁରସ୍କାର ପାଇ ସମଗ୍ର ଅଞ୍ଚଳର ସମ୍ମାନ ବୃଦ୍ଧି କରିଥିବାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁଙ୍କ ସମେତ ଶିକ୍ଷକ ମଣ୍ଡଳୀ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ଅଞ୍ଚଳର ପରିବେଶବିତ ମହଲରେ ଖୁସିର ଲହଡୀ ଖେଳିଯାଇଛି।
ଏହି ଉତ୍ସବରେ ବ୍ରହ୍ମପୁର ଡିଏଫଓ ସନ୍ନି ଖୋକର ଓ ଭଞ୍ଜନଗର ଡିଏଫ ହିମାଂଶୁ ଶେଖର ମହାନ୍ତି, ଜିଲ୍ଲା ବିଜେଡି ସଭାପତି ସରୋଜ ସାବତ ଏବଂ ଛତ୍ରପୁର ୮ମ ବ୍ୟାଟାଲିଅନର ଉଚ୍ଚ ପଦସ୍ଥ ଅଧିକାରୀ ଗଣଙ୍କ ସମେତ ଆହୁରି ଅନେକ ସମ୍ମାନୀୟ ବ୍ୟକ୍ତିବିଶେଷ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ଦେବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଛନ୍ତି।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Comments (0)
Add Comment