ଭୁବନେଶ୍ୱର,୨୫/୦୫(ପିପିଟି):ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ(ବିଏଲଓ) ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ମେ ୩୦ ରୁ ଆରମ୍ଭ ହେବାକୁ ଥିବା ଏସଆଇଆର କାର୍ଯ୍ୟକ୍ରମ ରେ ଭୋଟର ତାଲିକାକୁ ଅଧିକ ତ୍ରୁଟିଶୂନ୍ୟ ଓ ବ୍ୟାପକ କରିବା ଲକ୍ଷ୍ୟରେ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟତଃ କ୍ଷେତ୍ର ସ୍ତରୀୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ଏବଂ ସରକାରୀ ନିୟମାବଳୀର ସଠିକ ଅନୁପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟର କିପରି ସଫଳ ରୂପାୟନ କରାଯିବ, ସେ ନେଇ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା ।
ଏସଆଇଆର ସମୟରେ ସମଗ୍ର ସଂଶୋଧନ ପ୍ରକ୍ରିୟାକୁ କିପରି ଅଧିକ ସହଜ, ସ୍ୱଚ୍ଛ ଓ ଶୃଙ୍ଖଳିତ କରାଯାଇପାରିବ, ସେଥିପାଇଁ ବିଏଲ୍ଓମାନଙ୍କୁ ମାର୍ଗଦର୍ଶନ ଦିଆଯାଇଛି।
ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ନିଯୁକ୍ତ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସକାଳ ୬ ରୁ ଦିନ ୧୧ ଏବଂ ଅପରାହ୍ନ ୪ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଫିଲଡ଼ ୱାର୍କ ଏବଂ ଦିନ ୧୨ ରୁ ଅପରାହ୍ନ ୩ଟା ଯାଏ ଫିଲଡ଼ ୱାର୍କ ନ କରିବାକୁ ନିର୍ଦେଶ ଦିଆଯାଇଛି ।ସେହିପରି ଅଂଶୁଘାତରୁ ରକ୍ଷା ପାଇବା ପାଇଁ କର୍ତ୍ତବ୍ୟ ସମୟରେ ପ୍ରତ୍ୟେକ ଅଧିକାରୀ ନିଜ ସାଙ୍ଗରେ ୪ଟି ଆବଶ୍ୟକୀୟ ସାମଗ୍ରୀ -ପାଣି ବୋତଲ, ଓଆରଏସ କିମ୍ବା ଇଲେକ୍ଟ୍ରୋଲାଇଟ୍ ପ୍ୟାକେଟ୍ ,ଟୋପି କିମ୍ବା ଛତା,ଜରୁରୀକାଳୀନ ଯୋଗାଯୋଗ ପାଇଁ ସକ୍ରିୟ ମୋବାଇଲ୍ ଫୋନ୍ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା.୩୩୩୩/elect ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ,ଜିଲ୍ଲା ନିର୍ବାଚନ ଅଧିକାରୀ, ବିଏମସି କମିଶନର ଏବଂ ନିର୍ବାଚନ ପଞ୍ଜିକରଣ ଅଧିକାରୀ ମାନଙ୍କୁ ଅଂଶୁଘାତ ସତର୍କତା ଅନୁପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।