ବାଲିଗୁଡା,୦୧/୦୪(ପିପିଟି): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ଉପଖଣ୍ଡରେ ୯୧ ତମ ଓଡ଼ିଶା ଦିବସ-୨୦୨୬ ମହାସମାରୋହରେ ଉପଖଣ୍ଡ ସ୍ତରୀୟ ଉତ୍ସବ ବାଲିଗୁଡ଼ା ସଭାଗୃହ ଠାରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧ୍ଯକ୍ଷକ ଶୁଭମ ଭୋସଲେ, ସମ୍ମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତିପ୍ରକାଶ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ବରିଷ୍ଠ ଆଇନଜିବୀ ତଥା ଜିଲ୍ଲା ଉତ୍କଳ ସମ୍ମିଳନୀ ର ସଭାପତି କୌଶିକ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିବେକାନନ୍ଦ ଦଳେଇ, ମୁଖ୍ଯବକ୍ତା ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ.ବିଭୂତି ଭୂଷଣ ଆଚାର୍ଯ୍ୟ, ଉପଖଣ୍ଡ ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ପ୍ରମୁଖ ଉପସ୍ଥିତ ରହି “ଆମେ କ’ଣ ପାଇଁ ଆଜି ଉତ୍କଳ ଦିବସ ପାଳନ କରୁଛୁ, ଉତ୍କଳ ଦିବସ ପଛର ଇତିହାସ କ’ଣ, ଓଡ଼ିଶା କେମିତି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି। ଏହା ସହିତ ଜଣାଇଥିଲେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିଲା। ଏହି ସଫଳତା ପଛରେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ଏବଂ ଫକୀର ମୋହନ ସେନାପତିଙ୍କ ଭଳି ମହାନ ବ୍ୟକ୍ତିଙ୍କ ବଳିଦାନ ରହିଛି। ଆମର ଭାଷା, ସଂସ୍କୃତି ଏବଂ ‘ଓଡ଼ିଆ ଅସ୍ମିତା’କୁ ବଞ୍ଚାଇ ରଖିବା ପାଇଁ ସେମାନେ ସଂଗ୍ରାମ କରିଥିଲେ। ଆଜିର ଦିନରେ ଆମେ ସେହି ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଓଡ଼ିଶା ଆଜି କେବଳ ଏକ ରାଜ୍ୟ ନୁହେଁ, ଏହା ଆମର ପରିଚୟ। ଆସନ୍ତୁ, ଆମର ମାତୃଭାଷା ଓ ସଂସ୍କୃତିକୁ ସମ୍ମାନ ଜଣାଇବା ଏବଂ ଓଡ଼ିଶାର ବିକାଶ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବା।” ପାଇଁ ଉଦବୋଧନ ଦେଇଥିଲେ । ଏଥିରେ ଉତ୍ସବ ପାଳନ କମିଟିର ସଭ୍ୟ ସଭ୍ୟା, ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ