ପୋଲସରାରେ ପାଞ୍ଚ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିର ଉଦ୍‌ଯାପିତ ।

ପୋଲସରା,୦୧/୦୪ (ପିପିଟି): ପୋଲସରା ବ୍ଲକରେ ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ‘ପ୍ରବୋଧନ’ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ପୋଲସରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଶିବିରରେ ସର୍ବମୋଟ ୫୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ମୋଟ୍ ୫୨୧ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଭାଗନେଇ ତାଲିମ ନେଇଥିଲେ । ମୋଟ୍ ୧୧ ଗୋଟି କ୍ଲଷ୍ଟରର ସମସ୍ତ ସିଆରସିସି ମାନେ ସହଯୋଗ କରିଥିବା ବେଳେ ପୂର୍ବତନ ସିଆରସିସି ତଥା ସମ୍ବଳ ଶିକ୍ଷକ ନିରଞ୍ଜନ ବେହେରା, ସୁରେନ୍ଦ୍ର ସେଠୀ, ଶାନ୍ତନୁ ସାଇଁ ଓ ପଞ୍ଚାନନ ସେଠୀ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ଶିବିରଟି ଗତ ଜାନୁଆରୀ ମାସ ୧୯ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ଗତ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରତ୍ୟେକ ଶିବିରଟି ପାଞ୍ଚ ଦିନ ଅନୁଷ୍ଠିତ ହୋଇଥିଲା । ପୋଲସରା ରାଣୀପଡ଼ା ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟରେ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ, ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ତାଲିମ ଶିବିର କନକଦୁର୍ଗା ବିଦ୍ୟାପୀଠ, ମଧୁସୂଦନପୁର ଠାରେ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବିର କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ଵରୂପ କୁମାର ପାତ୍ର ଏବଂ କାର୍ଯ୍ୟାଳୟର ଅନ୍ୟ ସମସ୍ତ ଷ୍ଟାଫଙ୍କ ସମେତ ଉକ୍ତ ୨ଟି ଅନୁଷ୍ଠାନ ଗୁଡ଼ିକର ପ୍ର.ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଷ୍ଟାଫ୍ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ବିଇଓ ମହୋଦୟ ନିଜର ଅଭିଭାଷଣ ଜରିଆରେ ସରକାରଙ୍କ ଜାତୀୟ ଶିକ୍ଷାନୀତି ୨୦୨୦ କୁ ଆଧାର କରି ଆଗାମୀ ୨୦୩୬ ସଶକ୍ତ ଓ ବିକଶିତ ଓଡ଼ିଶା ଏବଂ ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ରଖି ପାଠ୍ୟକ୍ରମ ରୂପରେଖ -୨୦୨୫ ଓ ନୂତନ ପାଠ୍ୟପୁସ୍ତକ (ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ) ପର୍ଯ୍ୟନ୍ତ ସଞ୍ଚାଳନ ନିମନ୍ତେ ଏଭଳି ଯୁଗାନ୍ତକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଏଣୁ ଏଥିରୁ ତାଲିମ ନେଇ ତାଲିମପ୍ରାପ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପଯୁକ୍ତ ଭାବେ ତାଲିମ କରି ପରବର୍ତ୍ତୀ ସମୟରେ ନିଷ୍ଠାର ସହିତ ସମୟାନୁବର୍ତ୍ତିତା‌ ହୋଇ ସଫଳତା କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment