ମାଲକାନଗିରି, ୧୯/୦୧(ପିପିଟି):ମାଥିଲି ବ୍ଳକ୍ କରତନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମି ରଞ୍ଜନ ସେନାପତି ଙ୍କ ଉପସ୍ଥିତିରେ ୯୮ ଟି ଅଭିଯୋଗ ଗୁଡ଼ିକର ଶୁଣାଣି ହୋଇଛି। ତନ୍ମଧ୍ୟରୁ ୨୨ ଟି ବ୍ୟକ୍ତିଗତ ଓ ୭୬ ଟି ଗ୍ରାମ୍ୟ ସମସ୍ୟା ରହିଥିଲା। ବିଭିନ୍ନ ଯୋଜନାର ସେବା ଯୋଗାଇ ଦେବା ପାଇଁ ଶିବିରରେ କ୍ୟାମ୍ପ ସ୍ଥାପନ କରାଯାଇଥିଲା।
ଅଭିଯୋଗ ଶୁଣାଣି ପରେ ସମସ୍ତ ଅଧିକାରୀ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନରେ ଯାଇ ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି । ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)