ସୁଭାଷ ବୋଷ ଟାଉନ୍ କ୍ଳବ୍ ଦୁର୍ଗା ପୂଜା ମଣ୍ଡପକୁ ପ୍ରଥମ ପୁରସ୍କାର ପ୍ରଦାନ ।

ମାଲକାନଗିରି, ୧୫/୧୦(ପିପିଟି):ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଶ୍ରେଷ୍ଠ ପୂଜା ମଣ୍ଡପକୁ ବିଭିନ୍ନ ବର୍ଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି। ସଂପ୍ରତି ଦୁର୍ଗା ପୂଜା ସମୟରେ ମାଲକାନଗିରି ପୋଲିସ ପ୍ରଶାସନ ଦ୍ବାରା ପୂଜା କମିଟି ମାନଙ୍କ ପାଇଁ କିଛି ମାନଦଣ୍ଡ ଘୋଷଣା କରାଯାଇଥିଲା। ତେଣୁ ପାରମ୍ପାରିକ ଆଧ୍ୟାତ୍ମିକ ଭାବନା ଓ ପରିବେଶକୁ ବଜାୟ ରଖି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଶବ୍ଦ ପ୍ରଦୂଷଣ ହ୍ରାସ, ପରିବେଶ ପରିଷ୍କାର ଓ ପରିଚ୍ଛନ୍ନତା, ଶୃଙ୍ଖଳିତ ଭଷାଣି, ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳା ଇତ୍ୟାଦିକୁ ଗୁରୁତ୍ଵ । ଆଗାମୀ ଦିନରେ ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସଚେତନତା ପାଇଁ ସ୍ଥାନୀୟ ଲୋକଙ୍କର ଭାଗିଦାରୀତା ଏବଂ ସହଯୋଗ କାମନା କରିଥିଲେ । ସର୍ବ ଶ୍ରେଷ୍ଠ ପୂଜା ମଣ୍ଡପ ଭାବେ ସୁଭାଷ ବୋଷ ଟାଉନ୍ କ୍ଲବ୍ ସାର୍ବଜନୀନ ଦୁର୍ଗା ପୂଜା କମିଟିକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ ଦୁର୍ଗାଗୁଡ଼ି ସାହି ସାର୍ବଜନୀନ ଦୁର୍ଗା ପୂଜା କମିଟି ଓ ଜୟ ଜଗନ୍ନାଥ ବହୁମୁଖି ଉନ୍ନୟନ ସମିତି ସାର୍ବଜନୀନ ଦୁର୍ଗା ପୂଜା କମିଟିକୁ ମିଳିତ ଭାବେ ୨ୟ ପୁରସ୍କାର ଦିଆଯାଇଛି। ନାରୀ ସୁରକ୍ଷା, ଜଙ୍ଗଲ ସୁରକ୍ଷା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ଇତ୍ୟାଦି ସଚେତନତା ବିଷୟ ବସ୍ତୁ ପ୍ରଦର୍ଶନ କରିଥିବାରୁ ବିଚାରକ ମଣ୍ଡଳୀ ସଂରକ୍ଷିତ ଆରକ୍ଷୀ ସାର୍ବଜନୀନ ଦୁର୍ଗା ପୂଜା କମିଟିକୁ ତୃତୀୟ ପୁରସ୍କାର ରୂପେ ଚୟନ କରିଥିଲେ। ସେହିପରି ଡିଏନକେ ଖେଳ ପଡିଆ ସାର୍ବଜନୀନ ଦୁର୍ଗା ପୂଜା କମିଟିକୁ ମଧ୍ଯ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସାର୍ବଜନୀନ ଦୁର୍ଗା ପୂଜା କମିଟି ଗଣ୍ଡିଆଗୁଡା, କୋର୍ଟ ଛକ ଓ ଓଡ଼ିଶା ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗକୁ ସାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରାଯାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜେନ୍ଦ୍ର ଦାସ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ପୂଜା କମିଟି ସଦସ୍ୟ ଏହି ଅଭିନବ ପଦକ୍ଷେପ ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମୀ ରଞ୍ଜନ ସେନାପତି, ଆଦର୍ଶ ଥାନାଧିକାରୀ ଶ୍ରୀ କିଣ୍ଡୋ, ପୋଲିସ ଆରଆଇ ସତ୍ୟପ୍ରିୟ ବିଶ୍ଵାଳ ଓ ସମସ୍ତ ପୋଲିସ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment