ଗାଲେରୀରେ ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ; ଔଷଧ କାମ କରୁ ନ ଥିବା ଅଭିଯୋଗ ।

ଭଞ୍ଜନଗର, ୧୩/୧୦(ପିପିଟି ):ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମରେ ଏବେ ଧାନ ଫସଲରେ ରୋଗପୋକ ପ୍ରାଦୁର୍ଭାବ
ଦେଖିବାକୁ ମିଳିଲାଣି। ଚକଡ଼ା ପୋକ ଲାଗି ବହୁ ଚାଷୀଙ୍କର ଧାନ ଫସଲ ନଷ୍ଟ ହେବାରେ ଲାଗିଛି।ଏହାକୁ ନେଇ ବର୍ତ୍ତମାନ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଧାନ ନଷ୍ଟ ହେବା ସହ ପତ୍ରଗୁଡ଼ିକ ମଧ୍ୟ ହଳଦିଆ ହୋଇ ଯାଉଛି । ଗାଲେରୀ ଅଞ୍ଚଳରେ ଏକର ଏକର ଜମିରେ ଚକଡ଼ା ପୋକ ଲାଗି ଥିବାରୁ ଚାଷୀମାନେ ଅଭିଯୋଗ କରିବା ପରେ ସୋମବାର କୃଷି ଅଧିକାରୀ ଯାଇ ସ୍ଥିତି ଅନୁଧ୍ୟାନ କରି ଜମିରୁ ଜଳ ନିଷ୍କାସନ କରିବା ଏବଂ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଇଛନ୍ତି।ହେଲେ ଚାଷୀମାନେ ଔଷଧ କୌଣସି ପ୍ରକାର କାମ ଦେଉ ନଥିବା ଜଣାଇଛନ୍ତି। ଭଞ୍ଜନଗର ଅଞ୍ଚଳ ଏକ ଜଳସେଚିତ ଅଞ୍ଚଳ ହୋଇ ଥିବା ବେଳେ ଏ ଅଞ୍ଚଳର କୃଷି କ୍ଷେତ୍ର ଅଧିକାଂଶ ସମୟରେ ହାତୀ ଓ ବାରହା ଭଳି ବନ୍ୟଜନ୍ତୁଙ୍କ ଦ୍ବାରା ନଷ୍ଟ ହୋଇ ଆସୁଛି। ହେଲେ ଚଳିତ ବର୍ଷ ବ୍ଳକର ଅଧିକାଂଶ ପଞ୍ଚାୟତରେ ଖରିଫ ଧାନରେ ଚକଡ଼ା, ନଳି ପୋକ ଓ ଗଣ୍ଠିପୋକ ପ୍ରାଦୁର୍ଭାବ ଦେଖୁବାକୁ ମିଳୁଛି। ଚକଡ଼ା ପୋକ କାରଣରୁ ଧାନଗଛ ସବୁ ନଷ୍ଟ ହେବାରେ ଲାଗିଛି ।
ଏବେ ବହୁ ଜମିରେ ଗଛ ସବୁ ମରିବାକୁ ବସିଲାଣି। ବ୍ଲକର ଗାଲେରୀ, ସାନକୋଦଣ୍ଡା, ମୁଦୁଲି ପଲ୍ଲୀ, ଜିଲୁଣ୍ଡି,ବଡ଼ କୋଦଣ୍ଡା, କୁଲାଡ଼, ଗୋଲାପଡା ସମେତ ବିଭିନ୍ନ ପଞ୍ଚାୟତରେ ରୋଗ ଓ ପୋକ ଯୋଗୁଁ ଧାନ ଫସଲ କ୍ଷତିଗ୍ରସ୍ତ ହେବାରେ ଲାଗିଛି।ଗାଲେରୀ ଅଞ୍ଚଳର ରବୀନ୍ଦ୍ର ଶତପଥୀ, ରଞ୍ଜନ କୁମାର ଦାସ, ରବୀନ୍ଦ୍ର ପଟ୍ଟନାୟକ, ଭିକାରୀ ଦଳ ବେହେରା, ଦୈତାରୀ ପଟ୍ଟନାୟକ,ଗଣେଶ ଦଳ ବେହେରା, ଗଜାନନ ରଣା, ଟୁନା ପଟ୍ଟନାୟକ,କାଳୀ ଚରଣ ଗୌଡ଼, ବସନ୍ତ ପଟ୍ଟନାୟକଙ୍କ ସମେତ ଅନେକଙ୍କ ଜମିରେ ଚକଡ଼ା ପୋକ ଲାଗିଛି। ଏହାର ନିରାକରଣ ପାଇଁ ଠିକ୍ ସମୟରେ ଔଷଧ ପ୍ରୟୋଗ କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିବା କୃଷି ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବବର୍ଷ ମାନଙ୍କରେ ଚକଡ଼ା ପୋକ ପ୍ରାଦୁର୍ଭାବ ଅନେକ ଅଞ୍ଚଳର ଚାଷୀଙ୍କୁ ତଳିତଳାନ୍ତ କରିଥିବା ନଜିର ଥିବାରୁ କୃଷି ବିଭାଗ ଓ ପ୍ରଶାସନ ତୁରନ୍ତ ଏହାର ପ୍ରତିକାର ପାଇଁ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହେଉଛି।

ରିପୋର୍ଟ୍ -ଜେ କେ ପଟ୍ଟନାୟକ

Comments (0)
Add Comment