ରାଜସୁନାଖଳା,୨୨/୦୫(ପିପିଟି) :ସାବିତ୍ରୀ ବ୍ରତ ପାଇଁ ରାଜସୁନାଖଳା ବଜାର ଏବେ ଚଳଚଞ୍ଚଳ । ସ୍ଥାନେ ସ୍ଥାନେ ନାନାଦି ଫଳମୂଳର ପସରା ମେଲା ହୋଇଛି। ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ଫଳମୂଳ ମଧ୍ୟରୁ ଅନ୍ୟତମ ପଣସ । ତେଣୁ ବେଶ୍ ଦି ପଇସା ରୋଜଗାର ପାଇଁ କିଛି ବ୍ୟବସାୟୀ ଗ୍ରାମାଞ୍ଚଳରୁ ପଣସ ଆଣି ବିକ୍ରିରେ ଲାଗିଛନ୍ତି । ଏ ବର୍ଷ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣରେ ପଣସ ଫଳି ଥିବାରୁ କାଦୁଆ ପଣସର ଦାମ ଆକାର ଅନୁଯାୟୀ ୫୦ ଟଙ୍କାରୁ ଆରମ୍ଭ ହୋଇ ଅତି ବେଶୀରେ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଖଜରା ପଣସ ଦର ୧୦୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କାରେ ବିକ୍ରି ହେଉଛି । ପଣସର ଆକାର ଯେତେ ବଡ଼ ଦର ସେତେ ଅଧିକ ହୋଇଥିଲା ବେଳେ ଗୋଟା ସାଙ୍ଗକୁ କଟା ପଣସର ବିକ୍ରି ମଧ୍ୟ ବେଶ୍ ଜମୁଛି । ଏ ବର୍ଷ ଫଳ ବେପାର ଭଲ ହେଉଛି ବୋଲି ବ୍ୟବସାୟୀମାନେ କହୁଛନ୍ତି । ଏହି ଅବସରରେ ସାବିତ୍ରୀ ବ୍ରତକୁ ଯଥାରୀତି ପାଳନ କରିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପରିଲିକ୍ଷିତ ହୋଇଛି । ବଜାରରେ ମଧ୍ୟ ବ୍ରତ ପାଇଁ ଆବଶ୍ୟକ ନାନାଦି ସାମ୍ରଗୀ ଉପଲବ୍ଧ ହେଉଛି । ସାନ ହେଉକି ବଡ, ତାଳ ଗୋଟା ୧୦ ଟଙ୍କାରେ ବିକ୍ରି ହେଉଛି। ବିଶେଷ କରି ରାସ୍ତାକଡରେ ଏବଂ ଛକ ମାନଙ୍କରେ ନାନା ରକମର ଫଳମୂଳର ଅସ୍ଥାୟୀ ପସରା ପଡିଛି। ସେ ସବୁର ମୂଲ୍ୟ ଚଳନୀୟ ଥିବାରୁ ଲୋକେ ଖୁସିରେ କିଣାକିଣି କରୁଥିବା ଦେଖିବାକୁ ମିଳିଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।