ମାଲକାନଗିରି, ୨୯/୧୧(ପିପିଟି) :କୋରକୁଣ୍ଡା ସ୍ଥିତ ଜଳେଶ୍ବର ଶୈବ ପୀଠରୁ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ଓ ପ୍ରୋମୋ ସଙ୍ଗୀତକୁ ମଧ୍ଯ ଉନ୍ମୋଚନ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋରୁକୋଣ୍ଡା ସୁଜିତ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଜଳେଶ୍ବର ଶୈବ ପୀଠ ଠାରେ କଳସ ପୂଜନ ଓ କଳସ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାରେ ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ଶୈବ ପୀଠରୁ କଳସ ଶୋଭାଯାତ୍ରାରେ ନାଚଗୀତ ମାଧ୍ୟମରେ କୋରୁକୁଣ୍ଡା ସ୍ଥିତ ମାଉଲୀ ମନ୍ଦିରକୁ ନିଆଯାଇଥିଲା । ସେହିପରି କୋରୁକୋଣ୍ଡା ଠାରେ ଆଜି ବ୍ଲକ ସ୍ତରୀୟ ମହୋତ୍ସବକୁ ଉଦ୍ଘାଟନ କରାଯାଇଛି । ସେଠାରୁ ଏକ ରଥରେ ସମସ୍ତ କଳସକୁ ସଦର ମହକୁମା ସ୍ଥିତ ଭୈରବ ମନ୍ଦିରକୁ ଅଣାଯାଇଥିଲା। କଳସକୁ ପୂଜାର୍ଚ୍ଚନା କରି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ କଳସ ଗୁଡ଼ିକୁ ରଖାଯାଇଛି। ଏଠାରେ ମଧ୍ଯ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ ଓ ଶଶାଙ୍କ ମିଶ୍ରଙ୍କ ସମେତ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)