ନିଶାସକ୍ତ ଅବସ୍ଥାରେ ମାଆ ମାରିଦେଲା ଆଠ ବର୍ଷ ର ପୁଅକୁ ।

ମାଲକାନଗିରି,୧୪/୦୪(ପିପିଟି) :ମଦନିଶା ମଣିଷକୁ ପଶୁ ବନାଇ ଦିଏ । ମଦ ନିଶାରେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ଯାଏ । ଏଣୁ କୁହାଯାଇଛି,ମଦ ଅର୍ଥ ମନ୍ଦ । ଜଣେ ଜନ୍ମ କଲା ମାଆ ମଦ ନିଶାରେ ମାରୁ ମାରି ଦେଲା ତା’ର ଆଠ ବର୍ଷର ପୁଅକୁ । ଘରୁ ପଇସା ନେଇ ଖଜା କିଣି ଖାଇବାରୁ ପିଟି ପିଟି ପୁଅକୁ ମାରିଦେଲା ମା’।ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅର୍ନ୍ତଗତ ତୁମ୍ବାଗୁଡା ଗ୍ରାମରେ। ତୁମ୍ବାଗୁଡା ଗ୍ରାମର ମୁକା ପଡ଼ିଆମୀ(୪୬)ଙ୍କ ପତ୍ନୀ ୱାଗି ପଡ଼ିଆମୀ (୩୮) ଅତ୍ୟଧିକ ମଦ୍ୟପାନ କରି ନିଜ ପୁଅ ରୋହିତ ପଡ଼ିଆମୀ(୮)କୁ ରାଗି ଯାଇ ବିଧା, ଗୋଇଠା ମାରି ମାରିଦେଇଛି।
ମୁକା ପଡ଼ିଆମୀଙ୍କ କହିବା ଅନୁଯାୟୀ ତାଙ୍କର ପୁଅ ରୋହିତ ମା’ଙ୍କୁ ପଇସା ମାଗିଥିଲା ଖଜା ଖାଇବା ପାଇଁ । ହେଲେ ମା’ ନ ଦେଇ ପଇସାକୁ ଘରେ ଲୁଚାଇ ରଖି ଦେଇ ମଦ ପିଇବାକୁ ପଳାଇଥିଲା। ରଖିଥିବା ପଇସା କୁ ନେଇ ଯାଇ ରୋହିତ ଦୋକାନରୁ ଖଜା କିଣି ଖାଇଦେଇଥିଲା। ଗତ ରାତ୍ରରେ ୱାଗି ପଡ଼ିଆମୀ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିଥିଲା । ପଇସା ଖୋଜି ନ ପାଇବାରୁ ରୋହିତ କୁ ପଚାରି ଥିଲା ପଇସା କଣ କଲୁ। ଦୋକାନରୁ ଖଜା କିଣି ଖାଇଦେଇଛି ବୋଲି ରୋହିତ କହିବାରୁ ରାଗି ଉଠି ୱାଗି ରୋହିତ କୁ ତଳେ ପକାଇ ଦେଇ ଛାତି ଉପରକୁ ଗୋଇଠା ମାରିଚାଲି ଥିଲା। ମୁକା ବିରୋଧ କରିବାରୁ କିଛି ନ ଶୁଣି ପୁଅକୁ ମାରି ଚାଲି ଥିଲା।
ସେ ଅଚେତ ହୋଇଯିବାରୁ ୱାଗି ଶୋଇ ପଡ଼ିଥିଲା। ସକାଳୁ ମୁକା ଦେଖିଲା ବେଳକୁ ପୁଅ ଘରେ ପଡିଛି ତାର ଜୀବନ ଚାଲିଯାଇଛି। ସେ ଏସମ୍ପର୍କ ରେ ଗାଁ ଲୋକଙ୍କୁ ଜଣାଇଥିଲା। ଏହା କୁ ନେଇ ଗ୍ରାମର ମୁଖିଆ କେନି କବାସୀ, ଗ୍ରାମର ୱା୍ଡମେମ୍ବର ଲାକା ମାଡକାମୀ ଏବଂ ଗ୍ରାମବାସୀ ଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ପରେ ଗ୍ରାମର ୱା୍ଡମେମ୍ବର ଲାକା ମାଡ଼କାମୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା l କାଲିମେଳା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ, ଏହାର ଅଧିକ ତଦନ୍ତ ନିମନ୍ତେ କୋରାପୁଟ ସାଇଣ୍ଟିଫିକ ଟିମ କୁ ଖବର ଦିଆଯାଇଥିଲା । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପରେ ମୃତ ରୋହିତ ଙ୍କ ଶବ ବ୍ୟବଛେଦ କରାଯାଇଛି l ଏସମ୍ପର୍କ ରେ କାଲିମେଳା ଥାନା କେସ ନମ୍ବର ୧୧୬/୨୪ ରେ ମକଦ୍ଦମା ରୁଜୁ କରାଯାଇଛି। ରୋହିତ ର ମା ୱାଗୀ ପଡ଼ିଆମୀ ଙ୍କୁ ପୁଲିସ ଥାନା ରେ ଅଟକ ରଖି ପଚରା ଉଚରା ଚଲାଇ ଥିବା ଜଣା ପଡ଼ିଛି । ୱାଗି ପଡିଆମୀ ନିଶାଗସ୍ତ ହୋଇ ଗତ୬ ବର୍ଷ ପୂର୍ବେ ତାଙ୍କର ଏକ ୧୫ଦିନର ଶିଶୁକନ୍ୟା କୁ ନିଶାଗ୍ରସ୍ତ ଅବସ୍ଥା ରେ ହାତରୁ ଖସାଇ ଦେଇଥିଲେ। ଫଳରେ କନ୍ୟା ସନ୍ତାନ ଟିର ମୃତ୍ୟୁ ଘଟିଥିଲା। ଗ୍ରାମ ବାସୀଙ୍କ କହିବା ଅନୁଯାଇ ଏମାନେ ସ୍ୱାମୀ ସ୍ତ୍ରୀ ଦୁହେଁ ସବୁବେଳେ ନିଶଗ୍ରସ୍ତ ଅବସ୍ଥାରେ ରୁହନ୍ତି ଘରେ ଠିକ ରେ ରୋଷେଇ ବାସ କରନ୍ତି ନାହିଁ ତାଙ୍କର ପିଲା ମାନେ ପ୍ରାୟତଃ ତାଙ୍କର ସମ୍ପର୍କୀୟ ମାନଙ୍କ ଘରେ ଭୋକ ସମ୍ଭାଳି ନପାରି ଖାଇ ଦେଇଥାନ୍ତି । ମା’ ଜାଣିଲେ ପିଲା ମାନଙ୍କୁ ମାଡ ମାରି ଥାନ୍ତି ଏଥି ପାଇଁ ପିଲାମାନେ ଡ଼ରିକି ରହୁଥିବା କଥା ଗାଁ ଲୋକମାନେ ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment