ଶିବରାତ୍ରୀରେ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ ।

ଭଞ୍ଜନଗର, ୦୮/୦୩ (ପିପିଟି): ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବ ପୀଠ ଚଳ ଚଞ୍ଚଳ ହୋଇ ଉଠିଛି।ଭକ୍ତମାନେ ପ୍ରାତଃ ସମୟରେ ନିତ୍ୟକର୍ମ ସାରି ଦୁଦୁରା, ଚମ୍ପା,କେତକୀ ଫୁଲ, ବେଲ ପତ୍ର, କ୍ଷୀର ସହ ବିଭିନ୍ନ ଭୋଗ ସାମଗ୍ରୀ ଧରି ଶିବ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।ଦିନ ତମାମ ଭଞ୍ଜନଗର ସହରରେ ଥିବା ପ୍ରସିଦ୍ଧ ବେଲେଶ୍ୱର ଶୈବ ପୀଠରେ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଭିଡ଼ ଜମିଥିଲା।ସେହିପରି ଢୁଢୁଆର ବାଛେଶ୍ବର ପୀଠ, ଭେଜିପୁଟର ଗୁପ୍ତେଶ୍ଵର ପୀଠ,ଜାମପଲିର ଝାଙ୍କରେଇ ପୀଠ, କର୍ପୋରେସନ ଶିବ ମନ୍ଦିର,ସହରର ମଧ୍ୟ ଭାଗରେ ଥିବା ଗାନ୍ଧୀ କୈଳାସ ପାହାଡ଼,ଛେଦାଭୂମି ମନ୍ଦିର,ଲାଲ ସିଂ ମନ୍ଦିର,ରଘୁନାଥ ମନ୍ଦିର, ଗୋଲାପଡା ସ୍ୱପ୍ନେଶ୍ବର ପୀଠ,ବଡ଼ କୋଦଣ୍ଡା, କୁଲାଡ଼, ଗାମୁଣ୍ଡି,କୁଶପଲି,ସାନକୋଦଣ୍ଡା, ଚଢ଼େୟାପଲି,ମହାଗୁଡା ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ବେଳେ ସନ୍ଧ୍ୟା ଆଳତୀ ଓ ରାତ୍ରି ସମୟରେ ବହୁ ଭକ୍ତ ଜାଗର ଦୀପ ଜାଳି ମହା ଦୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।ଏହି ଅବସରରେ ପ୍ରସିଦ୍ଧ ବେଲେଶ୍ୱର ପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ ସହ ପ୍ରବଚନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖ୍ୟାତି ସଂମ୍ପନ୍ନ ପ୍ରବକ୍ତା ପରିବ୍ରଜକ ପ୍ରମୋଦ କୁମାର ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭଜନ, ନାମ ସଂକୀର୍ତ୍ତନ ଏବଂ ଅନ୍ନଯଜ୍ଞର ଆୟୋଜନ କରାଯାଇଥିଲା।ଦେବାଳୟ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା।
(ରିପୋର୍ଟ-ଜେ. କେ ପଟ୍ଟନାୟକ )

Comments (0)
Add Comment