ବେଲଗୁଣ୍ଠା, ୧୬/୦୨(ପିପିଟି) : ବେଲଗୁଣ୍ଠା ବ୍ଳକ୍ ଜିଲିବା ଗ୍ରାମରେ ଜେଜେ ବାପାର ଶୁଦ୍ଧିକ୍ରିୟା ଦିନ ଛଅ ବର୍ଷର ନାତୁଣି ନିଖୋଜ ହୋଇଯିବା ଏବଂ ଆଜି ତାର ଶବ ଗାଆଁ ପୋଖରୀରୁ ମିଳିବା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ପ୍ରକାରେ ଗୁରୁବାର ଦିନ ଜିଲିବା ଗ୍ରାମର ଶଙ୍କର ନାରାୟଣ ପ୍ରଧାନଙ୍କ ବାପାଙ୍କର ଶୁଦ୍ଧିକ୍ରିୟା ଥିଲା । ଏହି ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ବୁଗୁଡ଼ା ଥାନା ଅନ୍ତର୍ଗତ ତାମ୍ବିରି ଗ୍ରାମରୁ ଶଙ୍କରଙ୍କ ଶଶୁର ଖଲି ପ୍ରଧାନ ଆସିଥିଲେ । ସନ୍ଧ୍ୟା ପାଞ୍ଚଟା ପରେ ଖଲି ଶୌଚ ହେବା ପାଇଁ ଗ୍ରାମର ଖୁଣ୍ଟ ଆଗୁଳକୁ ଶଙ୍କର ନାରୟଣଙ୍କ ଛଅ ବର୍ଷର ଝିଅ ଆଦ୍ଯାଶା ପ୍ରଧାନ ଓରଫ୍ ରାଣୀକୁ ଧରି ଯାଇଥିଲେ । ରାଣୀକୁ ଆଗୁଳ ପାହାଚ ଉପରେ ବସାଇ ଖଲି ଟଏଲେଟ୍ ଯାଇଥିଲେ । ସେଠାରୁ ଫେରି ସେ ପାହାଚ ଉପରେ ନାତୁଣି ରାଣୀକୁ ନପାଇ ସେ ଘରକୁ ଚାଲିଯାଇଥିବ ଭାବି ଘରକୁ ଫେରିଆସିଥିଲେ । କିନ୍ତୁ ଘରେ ଆଦ୍ଯାଶା ନଥିବା ଜାଣିବା ପରେ ପରିବାର ଲୋକେ ରାତିସାରା ଆଦ୍ଯାଶାକୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ଏନେଇ ବେଲଗୁଣ୍ଠା ଥାନାରେ ଜଣାଇବା ପରେ ବେଲଗୁଣ୍ଠା ଥାନା ଅଧିକାରୀ ଦାୟିତ୍ୱରେ ଥିବା ଏସ୍ଆଇ ଅଭୟ କୁମାର ପ୍ରଧାନ ଜିଲିବାକୁ ଯାଇ ଯାଞ୍ଚ୍ କରି ଆସିଥିଲେ । ଆଜି ସକାଳେ କିଛି ଛାତ୍ର ଗ୍ରାମର ଖୁଣ୍ଟ ଆଗୁଳରେ ଗାଧୋଉଥିବା ବେଳେ ସେମାନଙ୍କ ଗୋଡରେ କିଛି ଅଜବ ଜିନିଷ ବାଜିବାର ଜାଣି ଭୟରେ ପୋଖରୀ ଭିତରୁ ବାହାରକୁ ପଳାଇଆସି ଗାଆଁ ଲୋକଙ୍କୁ ଜଣାଇଥିଲେ । ଗ୍ରାମବାସୀ ପୋଖରୀ ଭିତରକୁ ଯାଇ ଭିତରେ ଆଦ୍ଯାଶାର ଶବ ପଡ଼ିଥିବା ଜାଣିପାରି ଶବକୁ ବାହାର କରିଥିଲେ । ଏନେଇ ବେଲଗୁଣ୍ଠା ଥାନାରେ 01/24 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆଦ୍ଯାଶାର ଶବକୁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍ କୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏସ୍ଆଇ ଅନୁ ମଲ୍ଲିକ୍ ଘଟଣାର ତଦନ୍ତ କରୁଛନ୍ତି । ଆଦ୍ଯାଶାର ଏହିଭଳି ଅକାଳ ମୃତ୍ୟୁରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହିତ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମ ଶ୍ମଶାନରେ ତେବେ ଆଦ୍ଯାଶାର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା