ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ମାଲକାନଗିରି,୦୨/୦୨(ପିପିଟି): ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀ ଜେନା ୧୯୮୮ ମସିହାରେ ପ୍ରଥମେ ମାଲକାନଗିରି ଜିଲ୍ଲାର ଏମଭି- ୪୦ ଗ୍ରାମର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ଏମଭି -୭୯ ଉଚ୍ଚ ବିଦ୍ୟାଳୟରେ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ଭାବ ଦାୟିତ୍ଵ ନିର୍ବାହ କରିଥିଲେ । ପରବର୍ତ୍ତୀ ସମୟରେ ବଦଳି ହୋଇ ଜୟପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପୁନଶ୍ଚ ପ୍ରଧାନ ଶିକ୍ଷକ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏହା ପରେ ସେ ମାଲକାନଗିରି ଶିକ୍ଷା ଜିଲ୍ଲା -୧ ଓ ୨ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦାନ କରିଥିଲେ । ଏହା ପରେ ସେ ମାଲକାନଗିରି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ପାଇଥିଲେ । ପରବର୍ତ୍ତୀ ସମୟରେ ସେ କନ୍ଧମାଳ ଜିଲ୍ଲାକୁ ବଦଳି ହୋଇ କାର୍ଯ୍ୟ ନିର୍ବାହ କରିଥିଲେ। ପୁଣି ଶେଷ ମୁହୂର୍ତ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ରୂପେ ମାଲକାନଗିରି ଜିଲ୍ଲାକୁ ବଦଳି ହୋଇ ବର୍ତ୍ତମାନ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୩ ବର୍ଷ ଶିକ୍ଷକ ବିଭାଗରେ କାର୍ଯ୍ୟ ରତଥିଲେ। ଆଜିର ସମ୍ବର୍ଦ୍ଧନା ସଭାରେ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ଧର, ପଡ଼ିଆ ଜିଲ୍ଲା ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି,ଏବିଇଓ ଗୌରାଙ୍ଗ ସାଜନ, ଅଶ୍ବିନୀ କୁମାର ମାଝୀ ଏବଂ ଅଞ୍ଜନ ଚୌଧୁରୀ ଯୋଗ ଦେଇ ଶ୍ରୀ ଜେନାଙ୍କ କର୍ମମୟ ଜୀବନ ଉପରେ ସ୍ମୃତି ଚାରଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment