ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସମାରୋହ ।

ମାଲକାନଗିରି,୨୦/୧(ପିପିଟି):ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଏମଭି- ୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷା ସାହିତ୍ୟ ସୃଜନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାହିତ୍ୟ ସଂସଦ ସଭାପତି ତଥା ସୁସାହିତ୍ଯିକ କେଶବ ଚନ୍ଦ୍ର ନାୟକ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ତମସା ସରପଞ୍ଚ ଗୀତ ପଡିଆମୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଶ୍ୟାମଳୀ ମଣ୍ଡଳ,କବି ଦୁର୍ଯ୍ୟୋଧନ ମହାରଣା, ବିଜୟ କୁମାର ବିଶ୍ବାସ ମଞ୍ଚାସୀନ ଥିଲେ। ଏହା ବ୍ୟତୀତ ଜଗନ୍ନାଥ ପଲ୍ଲୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ ଈଶ୍ୱର ରାଓ ମଞ୍ଚ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ନାୟକ କହିଥିଲେ ରାଜ୍ୟ ସରକାର ବର୍ତ୍ତମାନ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଲାଗି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ସାହିତ୍ୟ ସୃଜନୀକୁ ପ୍ରୋତ୍ସାହିତ କରିବା ଅତି ଗୌରବର ବିଷୟ। ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଓଡିଆ ଭାଷା ସାହିତ୍ୟର ସଂକଟ ସମୟରେ ଦୀର୍ଘ ୨୫ ବର୍ଷ ହେଲା ଉତ୍କଳ ସାହିତ୍ୟ ସଂସଦ ଓଡ଼ିଆ ଭାଷା ସାହିତ୍ୟ ପ୍ରଚାର ପ୍ରସାର ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ବେଳେ ଏହି ବିଦ୍ୟାଳୟରେ ପ୍ରତି ବର୍ଷ ଉତ୍କଳ ସାହିତ୍ୟ ସଂସଦ ତରଫରୁ କଥା ସମ୍ରାଟ ଫକୀର ମୋହନଙ୍କ ଜୟନ୍ତୀ ପାଳନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଉପରେ ସଚେତନତା କରିବା ଶ୍ରୀନାୟକ ପ୍ରକାଶ କରିଥିଲେ। ଏହା ଛଡା ବିଭିନ୍ନ ସମୟରେ କବି ସମ୍ମିଳନୀ କରି କବି କବୟିତ୍ରୀମାନଙ୍କ ସୃଜନୀ କବିତା ଗୁଡ଼ିକୁ ପାଠୋତ୍ସବରେ ସ୍ଥାନିତ କରି ମାନପତ୍ର ପ୍ରଦାନ କରିବା ସଂପର୍କରେ ସେ ମତବ୍ୟକ୍ତ କରିଥିଲେ। ଆଜି ଛାତ୍ରଛାତ୍ରୀମାନେ ଗଳ୍ପ ଓ କବିତା ଲେଖିବା ସହ ମଞ୍ଚରେ ଆବୃତ୍ତି କରି ସେମାନଙ୍କ ସୃଜନୀ ସାହିତ୍ୟର ଅନ୍ତର୍ନିହିତ ଗୁଣାବଳୀକୁ ପ୍ରତିପାଦିତ କରିବା ରେ ଯେଉଁ ପ୍ରୟାସ କରିଛନ୍ତି, ନିହାତି ପ୍ରଶଂସନୀୟ ପଦକ୍ଷେପ । ଗତ ବର୍ଷ ୧୦ମ ବୋର୍ଡ ପରୀକ୍ଷାରେ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଗୀତା ତରପଦାର ଓଡ଼ିଆ ବିଷୟରେ ୧୦୦ ରୁ ୧୦୦ ମାର୍କ ରଖି ସମସ୍ତଙ୍କୁ ବିସ୍ମିତ କରିଥିଲେ। ସେହି ଛାତ୍ରୀଙ୍କୁ ଶ୍ରୀ ନାୟକ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ। ସରକାର ବର୍ତ୍ତମାନ ଓଡ଼ିଆ ଭାଷା ର ସୁରକ୍ଷା ଏବଂ ଏହାର ଉତ୍ତରୋତ୍ତର ଉନ୍ନତି ପାଇଁ ଯେଉଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି, ନିଶ୍ଚିତ ଭାବେ ଓଡ଼ିଆ ସାହିତ୍ୟ ଭବିଷ୍ୟତ ଚିର ଜାଜୁଲ୍ଯମାନ ବୋଲି ସେ ଆଶାବାଦୀ। ଓଡିଆ ସାହିତ୍ୟ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ହସ୍ତରେ ନ୍ୟସ୍ତ। ସମ୍ମାନିତ ଅତିଥି ଦୁର୍ଯ୍ୟୋଧନ ମହାରଣା ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଭଲ କବି ଓ ଲେଖକ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ। ଏହି ଅବକାଶରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବରଚିତ ଗଳ୍ପ ଓ କବିତା ଆବୃତ୍ତି କରାଯାଇଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟ ପରିବେଷଣ କରି ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରତିପାଦନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ଓ ସିଲ୍ ଦେଇ ସମ୍ମାନିତ କରାଯାଇଥିଲା। ସାହିତ୍ୟ ସୃଜନୀ କ୍ଳବ୍ ର ମୁଖ୍ୟ ଭାବେ ଶିକ୍ଷୟିତ୍ରୀ ଶ୍ରୀମତୀ ସକୁନ୍ତଳା ସ୍ବାଇଁ,କୋଶଳୀ କ୍ଳବ୍ ର ମୁଖ୍ୟ ଭାବେ ଶିକ୍ଷକ ପ୍ରମୋଦ କୁମାର ମିଶ୍ର ଓ ଜିଜ୍ଞାସା କ୍ଳବ୍ ମୁଖ୍ୟ ଭାବେ ଶିକ୍ଷକ ଅଜୟ କୁମାର ସ୍ୱାଇଁ, କ୍ରୀଡାଙ୍ଗ କ୍ଳବ୍ ମୁଖ୍ୟ ଭାବେ ଶିକ୍ଷକ ଚନ୍ଦ୍ର ନାୟକ ଦାୟିତ୍ଵ ନିର୍ବାହ କରିଥିଲେ। ସେହି ପରି ପ୍ରାଚୀର ପତ୍ରରେ ଶିକ୍ଷକ ଜଗନ୍ନାଥ ସାହୁ,ମୋ କଥା,ମୋ କାହାଣୀ ରେ ସନ୍ତୋଷ କୁମାର ମହାପାତ୍ର , ପୁସ୍ତକ ସମୀକ୍ଷାରେ ଶିକ୍ଷକ କୁମାର ବେହେରା ,ଗଳ୍ପ ପଠନ ଓ କବିତା ଆବୃତ୍ତି ରେ ଶିକ୍ଷକ ଜଗଦୀଶ ମଲାଣ ଦାୟିତ୍ୱ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment