ନେତାଜୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ ଉତ୍ସବ ।

ମାଲକାନଗିରି,୧୯/୦୧(ପିପିଟି) : ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ପିଟାକଟା ନେତାଜୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷା ସାହିତ୍ୟ ସୃଜନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସଂସଦ ସଭାପତି ତଥା ସୁସାହିତ୍ଯିକ କେଶବ ଚନ୍ଦ୍ର ନାୟକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ଦୁର୍ଯ୍ୟୋଧନ ମହାରଣା, ବିଧାୟକ ପ୍ରତିନିଧି ସୁକଲନୀ ସରକାର ,ତୁମୁଷା ପଲ୍ଲୀ ସରପଞ୍ଚ ଦେବା କବାସି ଏବଂ ସ୍କୁଲ ପରିଚାଳନା ସଭାପତି ଇର୍ମା କବାସି ମଞ୍ଚାସୀନ ଥିଲେ। ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପରିଡା ମଞ୍ଚ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ନାୟକ କହିଥିଲେ ରାଜ୍ୟ ସରକାର ବର୍ତ୍ତମାନ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଲାଗି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ସାହିତ୍ୟ ସୃଜନୀକୁ ପ୍ରୋତ୍ସାହିତ କରିବା ଅତି ଗୌରବର ବିଷୟ। ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଓଡିଆ ଭାଷା ସାହିତ୍ୟର ସଂକଟ ସମୟରେ ଦୀର୍ଘ ୨୫ ବର୍ଷ ହେଲା ଉତ୍କଳ ସାହିତ୍ୟ ସଂସଦ ଓଡ଼ିଆ ଭାଷା ସାହିତ୍ୟ ପ୍ରଚାର ପ୍ରସାର ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସିଛି। ବିଭିନ୍ନ ସମୟରେ କବି ସମ୍ମିଳନୀ କରି କବି କବୟିତ୍ରୀମାନଙ୍କ ସୃଜନୀ କବିତା ଗୁଡ଼ିକୁ ପାଠୋତ୍ସବରେ ସ୍ଥାନିତ କରି ମାନପତ୍ର ପ୍ରଦାନ କରିବା ସଂପର୍କରେ ବିଶିଷ୍ଟ ସାହିତ୍ୟିକ ଶ୍ରୀନାୟକ ମତବ୍ୟକ୍ତ କରିଥିଲେ। ଆଜି ଛାତ୍ରଛାତ୍ରୀମାନେ ଗଳ୍ପ ଓ କବିତା ଲେଖିବା ସହ ମଞ୍ଚରେ ପଠନ କରି ସେମାନଙ୍କ ସୃଜନୀ ସାହିତ୍ୟର ଅନ୍ତର୍ନିହିତ ଗୁଣାବଳୀକୁ ପ୍ରତିପାଦିତ କରିବା ରେ ଯେଉଁ ପ୍ରୟାସ
କରାଯାଇଛି, ନିହାତି ପ୍ରଶଂସନୀୟ ପଦକ୍ଷେପ। ଏଣୁ ଓଡ଼ିଆ ଭାଷା ବଞ୍ଚିଲେ,ଓଡ଼ିଆ ସାହିତ୍ୟର ବିକାଶ ସମ୍ଭବ। ଏହି ସାହିତ୍ୟ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ହସ୍ତରେ ନ୍ୟସ୍ତ। ମୁଖ୍ୟବକ୍ତା ଦୁର୍ଯ୍ୟୋଧନ ମହାରଣା ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଭଲ କବି ଓ ଲେଖକ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ। ଏହି ଅବକାଶରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବରଚିତ ଗଳ୍ପ ଓ କବିତା ଆବୃତ୍ତି କରାଯାଇଥିଲା। ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସାହିତ୍ୟ ସୃଜନୀ କ୍ଳବ୍ ର ମୁଖ୍ୟ ଭାବେ ଶିକ୍ଷକ ସୁରେଶ କୁମାର ପଣ୍ଡା,କୋଶଳୀ ଓ ଜିଜ୍ଞାସା କ୍ଳବ୍ ମୁଖ୍ୟ ଭାବେ ଶିକ୍ଷକ ସୂର୍ଯ୍ୟ ନାରାୟଣ ନାୟକ, କ୍ରୀଡାଙ୍ଗ କ୍ଳବ୍ ମୁଖ୍ୟ ଭାବେ ଶିକ୍ଷକ ଅଭିମନ୍ୟୁ ପାଣିଗ୍ରାହୀ ଦାୟିତ୍ଵ ନିର୍ବାହ କରିଥିଲେ। ଅନ୍ଯମାନଙ୍କ ଲମ୍ବୋଦର ରାଉତ,ବାବୁଲା ନାୟକ, ସୁବାସ ଚନ୍ଦ୍ର ମହାପାତ୍ର ପୂର୍ଣ୍ଣ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment