ସମଲେଇ ପ୍ରକଳ୍ପ ନେଇ ମାଲକାନଗିରିକୁ ଆସିଲା ନିମନ୍ତ୍ରଣ ପତ୍ର ।

ମାଲକାନଗିରି, ୧୮/୦୧(ପିପିଟି):ଆସନ୍ତା ୨୭ ଜାନୁଆରୀରେ ସମ୍ବଲପୁର ଜିଲ୍ଲାରେ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ଏହି ପରୀପ୍ରେକ୍ଷୀରେ ସମ୍ବଲପୁରରୁ ଏକ ପ୍ରତିନିଧି ଦଳ ମାଲକାନଗିରି ପହଞ୍ଚିଥିଲେ। ସେମାନେ ଜିଲ୍ଲାର ଦୁଇ ପ୍ରମୁଖ ଭୈରବ ମନ୍ଦିର ଓ ମା ମାଉଲି ମନ୍ଦିରର ପୂଜକ ମାନଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଡାଲ ଅଧିକାରୀ ଭାବେ ସଞ୍ଚୟ ଓ ଅର୍ଥ ସେବା ସହକାରୀ ନିର୍ଦ୍ଦେଶକ ନୀଳାଞ୍ଚଳ ସେଠୀ, ମା ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ସଦସ୍ୟ ଦେଓ କୁମାର ଆଜମେରିଆ, ମନ୍ଦିର ପୂଜକ ସଗନ କୁମାର ରୟ, ମନୋଜ କୁମାର ରୟ ଓ ସାରଥୀ ଆର୍ତ୍ତତ୍ରାଣ ରଣାଙ୍କୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ମାଲକାନଗିରି ଠାରେ ସ୍ଵାଗତ କରିଥିଲେ । ସର୍ବ ପ୍ରଥମେ ଏହି ଦଳ ଭୈରବ ମନ୍ଦିର ପୂଜକ ସୁନୀଲଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ତାପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଉଲି ମନ୍ଦିରର ପୂଜକଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ମନ୍ଦିର କମିଟିର ଉପ ସଭାପତି, ପ୍ରଫୁଲ୍ଲ କୁମାର ପଣ୍ଡା, ସମ୍ପାଦକ, ସାଇ ପଟ୍ଟନାୟକ, ଜଗନ୍ନାଥ ନାୟକ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। କମିଟିର ସଦସ୍ୟମାନେ ଏହି ଦଳର ଆମନ୍ତ୍ରଣ ପାଇ ଖୁସି ବ୍ୟକ୍ତ କରି ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ କହିଥିଲେ ଯେ ରାଜ୍ୟ ସରକାରଙ୍କ ଏହି ପ୍ରକାର ପଦକ୍ଷେପ ଦ୍ଵାରା ବିଭିନ୍ନ ପ୍ରାନ୍ତର ସଂସ୍କୃତିର ଆଦାନ ପ୍ରଦାନ ସହ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment