ମାଲକାନଗିରି,୦୫/୧୨(ପିପିଟି):ମାଲକାନଗିରି ସଦର ମହକୁମାକୁରେ ଥିବା ପ୍ରାଇଭେଟ୍ କ୍ଳିନିକ୍, ପ୍ରାଇଭେଟ୍ ଔଷଧ ଦୋକାନଗୁଡିକରେ ସରକାରୀ ଡାକ୍ତରମାନଙ୍କ ପ୍ରାଇଭେଟ୍ ବିଜନେସ ଭାରି ଜୋରରେ ଚାଲିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ପ୍ରାପ୍ତ କିଛି ସରକାରୀ ଡାକ୍ତର ସକାଳେ, ମଧ୍ୟାହ୍ନରେ ଓ ସଂଧ୍ୟାରେ ଅର୍ଥାତ ଦିନକୁ ୩ ଥର କ୍ଳିନିକ୍ ବା କୌଣସି ଔଷଧ ଦୋକାନକୁ ଧାଇଁ ଥାନ୍ତି ରୋଗୀମାନଙ୍କୁ ଘରୋଇ ଚିକିତ୍ସା ପ୍ରଦାନ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବା ପାଇଁ। ଫଳରେ ସରକାରୀ ଚିକିତ୍ସାଳୟରେ ରୋଗୀମାନେ ଉତ୍ତମ ଚିକିତ୍ସା ପ୍ରଦାନ କରୁନଥିବା ଅଭିଯୋଗ ହୋଇ ଆସୁଛି। ବର୍ତ୍ତମାନ ଯେଉଁ ଔଷଧ ଦୋକାନ ଗୁଡିକରେ ଡାକ୍ତର ମାନେ ବସି ପର୍ଚା ଲେଖୁଛନ୍ତି,ସହି ଔଷଧ ଦୋକାନରୁ ହିଁ ଔଷଧ କ୍ରୟ କରିଥାନ୍ତି। ପର୍ଚା ଲେଖାବା ପାଇଁ କେହି କେହି ଡାକ୍ତର ଫିସ ବାବଦରେ ୨୦୦ ଟଙ୍କାରୁ ୫୦୦ ଟଙ୍କା ନେଉଥିବା ବେଳେ ଔଷଧ ଦୋକାନରୁ ପରସେଷ୍ଟେଜ ପାଇଥାନ୍ତି। ଏହା ବ୍ୟତୀତ ନିର୍ଦ୍ଧିଷ୍ଟ ପାଥୋଲ୍ଯାବରୁ ରକ୍ତ,ମଳ, ମୂତ୍ର,କଫ ଓ ଅନ୍ୟାନ୍ୟ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ଉକ୍ତ ଲ୍ଯାବର ମାଲିକ
ସମସ୍ତ ପରୀକ୍ଷଣର ମୋଟ ଆୟର ୫୦ ପ୍ରତିଶତ ଅର୍ଥ ଡାକ୍ତରଙ୍କ ଘରେ ଭିତିରିଆ ପହଞ୍ଚାଇଥାନ୍ତି। ନିର୍ଦ୍ଧିଷ୍ଟ ଔଷଧ ଦୋକାନରୁ ଔଷଧ କ୍ରୟ କରିବା ଓ ନିର୍ଦ୍ଧିଷ୍ଟ କ୍ଳିନିକ୍ ରୁ ବିଭିନ୍ନ ପରୀକ୍ଷା କରାଇବାକୁ କଡ଼ାକଡ଼ି କଟକଣା ଲଗାଇଥାନ୍ତି। ବ୍ୟତିକ୍ରମ ହେଲେ ରୋଗୀଙ୍କ ଉପରେ କ୍ରୋଧାନ୍ୱିତ ହୋଇ ଥାନ୍ତି । ମାଗଣା ଚିିିକିତ୍ସା ଲାଗି ସରକାର ମାଲକାନଗିରି ଜିଲ୍ଲା ସଦର ମହକୁମାରେ ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାପନ କରିବା ବେଳେ କମ୍ ସଂଖ୍ୟକ ବିଶେଷଜ୍ଞ ଥିବାରୁ ଏହି ଡାକ୍ତରମାନଙ୍କ ଭାଉ କାହିଁରେ କେତେ? ରୋଗୀଙ୍କ ଜୀବନ ମରଣ ସମସ୍ୟାର ସୁଯୋଗ ନେଇ କିଛି ଡାକ୍ତର ରୋଗୀମାନଙ୍କୁ ଶୋଷଣ କରିବାର ସହଜ ପନ୍ଥାକୁ ଆପଣେଇ ଥାନ୍ତି। ବିଚାରା ରୋଗୀ ଡାକ୍ତରଙ୍କ ଶୋଷଣ ମନବୃତ୍ତିକୁ ବିରୋଧ କରି ନ ପାରି ଆର୍ଥିକ ଓ ମାନସିକ ଯନ୍ତ୍ରଣାର ଶିକାର ହେବାକୁ ପଡ଼ିଥାଏ ।
ଅନ୍ୟପକ୍ଷରେ ସରକାରୀ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ ଥିଲେ ମଧ୍ୟ ଅଧିକାଂଶ ଗର୍ଭବତୀ ମହିଳାଙ୍କ ଗର୍ଭ ଏକ ନିର୍ଦ୍ଦିଷ୍ଟ ପ୍ରାଇଭେଟ୍ କ୍ଳିନିକ୍ ରେ ପରୀକ୍ଷା ପାଇଁ ଭିଡ ଜମିଥାଇ । ଏବଂ ଗର୍ଭବତୀ ମହିଳାଙ୍କ ଠାରୁ ଗର୍ଭ ପରୀକ୍ଷା ପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଇଥାଏ । ତେବେ ଏହି ଅଲଟ୍ରାସାଉଣ୍ଡ ମେସିନଟି ଏକ ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ହୋଇଥିବାରୁ କୌଣସି ରୋଗୀଙ୍କର ପ୍ରତିବାଦ ନାହିଁ। ଫଳରେ ଅଧିକାଂଶ ଗରିବ ଗର୍ଭବତୀ ମହିଳା ଉକ୍ତ ପ୍ରାଇଭେଟ୍ କ୍ଳିନିକ୍ ରେ ଗର୍ଭ ପରୀକ୍ଷା କରି ଆର୍ଥିକ ଶୋଷଣ ଶିକାର ହୋଇଥାନ୍ତି।ଅନ୍ଯ ପକ୍ଷରେ ଗର୍ଭବତୀ ମହିଳାଙ୍କୁ ସ୍ବାଭାବିକ ପ୍ରସବ ନ କରାଇ ସିଜେରିଆନ ମାଧ୍ୟମରେ ପ୍ରସବ କରାଇ କିଛି ନିର୍ଦ୍ଧିଷ୍ଟ ଡାକ୍ତର ମୋଟା ଅଙ୍କର ଅର୍ଥ ହାତେଇ ଥାନ୍ତି।
ଅନ୍ୟପକ୍ଷରେ ସରକାରୀ ପରୀକ୍ଷା ପାଇଁ ଯେଉଁମାନେ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ଯାଇ ଥାନ୍ତି, ସେମାନେ ଜାଣିଶୁଣି ପରୀକ୍ଷାକୁ ଦୀର୍ଘ ସମୟ ବିଳମ୍ବ କରିଥାନ୍ତି, ଫଳରେ ମୁର୍ମୂଷୁ ରୋଗୀଟି ବାଧ୍ୟ ହୋଇ ପ୍ରାଇଭେଟ୍ ପରୀକ୍ଷା କରିଥାଏ ।
କିଛି ନିର୍ଦ୍ଧିଷ୍ଟ ଡାକ୍ତର ସଦର ମହକୁମାରେ ୨୦ ରୁ ୨୫ ବର୍ଷ ହେଲା ଆସ୍ଥାନ ଜମାଇ ରହିଥାଲା ବେଳେ ସେମାନ ବଦଳି ନହେବାରୁ ନିଜର ମନମୁଖୀ ଶାସନ ବଳବତ୍ତର ରହିଛି।ଶାସକ ଦଳର ବାହୁଛାୟା ତଳେ ରହି ରୋଗୀମାନଙ୍କୁ ଶୋଷଣ କରିବା ଅଭ୍ୟାସ ଗତ ପ୍ରବୃତ୍ତିରେ ପରିଗଣିତ ହୋଇଗଲାଣି। ବର୍ତ୍ତମାନ ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସା ରେ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଏହି ଅମାନବୀୟ ଶୋଷଣର ପୂର୍ଣ୍ଣଛେଦ କେବେ ପଡିବ ସର୍ବତ୍ର ଚର୍ଚ୍ଚା ହେଉଛି । ସରକାରୀ ଡାକ୍ତରମାନଙ୍କୁ ମାସିକ ରାଜ୍ୟ ସରକାର ମାସିକ ମୋଟା ଅଙ୍କର ଦରମା ଦେଉଥିବା ସତ୍ବେ ସେମାନଙ୍କ ପେଟ ପୁରୁନଥିବାରୁ ହୁଏତ ପ୍ରାଇଭେଟ୍ ଚିକିତ୍ସାକୁ ଅଧିକ ଗୁରୁତ୍ବ ଦିଆଯାଉଛି ।ଏଥି ପ୍ରତି ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ସଚିବ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)