ମାଲକାନଗିରି, ୧୧/୧୦ (ପିପିଟି):ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ଆଜି ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ରମେଶ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ ଓ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ରତ୍ନାକର ସାହୁ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଭିଡିଓ କନଫେରେନ୍ସ କକ୍ଷରେ ରାଜ୍ୟ ସ୍ତରୀୟ ଉଦଘାଟନୀ ସମାରୋହରେ ଆଭାସି ମାଧ୍ୟମରେ ସମସ୍ତ ଅତିଥି ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତି ହିଁ ଶକ୍ତି। ଗତି ହିଁ ସଶକ୍ତିକରଣ। ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିବ। ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ଆଣିବ । ୭୦ ଲକ୍ଷ ମା’ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ଶକ୍ତିଶାଳୀ ହେବ। ମା’ମାନଙ୍କ ଗତିଶୀଳତା ଓଡିଶାର ପ୍ରଗତିକୁ ନୂଆ ବେଗ ଦେବ। ମିଶନ ଶକ୍ତି ମା’ମାନଙ୍କୁ ସରକାରୀ କାମ ଦେବାରେ ଦେଶରେ ଓଡିଶା ଏକମାତ୍ର ରାଜ୍ୟ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଥିଲେ ଯେ , ମା’ମାନେ ହିଁ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି।
ସେହିପରି ମିଶନ ଶକ୍ତି ସ୍କୁଟର ଯୋଜନା କିଭଳି ଭାବେ ମାଲକାନଗିରି ଜିଲ୍ଲାରେ ସଫଳ ହେବ ସେଥିନିମନ୍ତେ ସାଂସଦ ଶ୍ରୀ ମାଝୀ ଆଶା ବ୍ୟକ୍ତ କରିଥିଲେ। ମାଲକାନଗିରି ଜିଲ୍ଲାର ୩୦୦୦ ସଦସ୍ୟାଙ୍କୁ ୩୦ କୋଟି ଟଙ୍କା ଯୋଗାଇ ଦେବା ପାଇଁ ଧାର୍ଯ୍ୟ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସିଂ ଏଠାରେ ସୂଚନା ଦେଇଛନ୍ତି।ଏହା ଦ୍ବାରା ଏସଏଚଜି ମହାସଂଘ, କମ୍ୟୁନିଟି ସପୋର୍ଟ ଷ୍ଟାଫ୍( ଏମବିକେ, ସିଆରପି, ବ୍ୟାଙ୍କ୍ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର)ଏବଂ ଇସି ସଦସ୍ୟାମାନେ ଗାଁ ଗାଁ ବୁଲି ଉତ୍ତମ ସେବା ଯୋଗାଇ ପାରିବେ । ଏଥିପାଇଁ ଓଡ଼ିଶା ସରକାର ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏହାକୁ ୪ ବର୍ଷ ମଧ୍ୟରେ ଅର୍ଥାତ ୪୮ଟି କିସ୍ତିରେ ଋଣ ପରିଶୋଧ କରିବେ। ଆଜି ପର୍ଯ୍ୟନ୍ତ ୧୫୨ ଜଣ ହିତାଧିକାରୀଙ୍କର ଋଣ ମଞ୍ଜୁର କରାଯାଇଛି ଏବଂ ୧୦୪ ଜଣଙ୍କୁ ଆଜି ମୁଖ୍ୟ ଅତିଥିଙ୍କ ଦ୍ବାରା ସ୍କୁଟର ପ୍ରଦାନ କରାଯାଇଛି ଓ ପର୍ଯ୍ୟାୟ କ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଋଣ ପ୍ରଦାନ କରାଯିବ। ସୂଚନା ଯୋଗ୍ୟ, ମୋଟ ୨ ଲକ୍ଷ ହିତାଧିକାରୀଙ୍କୁ ୫୨୮କୋଟି ୫୫ ଲକ୍ଷ ଟଙ୍କା ଆଗାମୀ ୫ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯିବ ବୋଲି ଆକଳନ କରାଯାଇଛି। ଏହି ଅବସରରେ ସାତ ଜଣ ହିତାଧିକାରୀଙ୍କୁ ଅତିଥିମାନେ ସ୍କୁଟର ପ୍ରଦାନ କରିଛନ୍ତି।ଏହି ଅବସରରେ ରାଜ୍ୟ ସ୍ତରରେ ଆଜି ବ୍ଲକ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଫେଡେରେସନ୍କୁ ସରକାରୀ କାର୍ଯ୍ୟ ପାଇଁ ଯାନ ସୁବିଧା ଯୋଗାଇଦେବା ବାବଦରେ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଉଦ୍ୟୋଗୀଭାବେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଧ ସହାୟତା ସିଧା ସଳଖ ଦିଆ ଯାଉଛି। ଅନ୍ୟ ମାନଙ୍କ ମଧ୍ୟରେ ଏସବିଆଇ ସିଏମ୍ ଦେବଦତ୍ତ ସେଠୀ, ଏଲଡିଏମ ନରସିଂହ ପ୍ରସାଦ ପାଢ଼ୀ, ଓଏଲଏମ, ଡିପିଏମ୍ ପବିତ୍ର ମୋହନ ବାରା, ମିଶନ ଶକ୍ତି ଡିପିଏମ୍ ନିରଞ୍ଜନ ପାତ୍ର ଓ ଏପିଡି ବାଲାଜୀ ପଟ୍ଟନାୟକ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)