ମାଲକାନଗିରି,୧୮/୦୮ (ପିପିଟି):ଆଜି ମାଲକାନଗିରି ବନ କର୍ମଚାରୀମାନେ ଚଢ଼ାଉ କରି ଏଭି-୨୪ ଗ୍ରାମର ଜନୈକ ଗୃହରେ ଅବୈଧ ରୂପେ ଗଛିତ ଥିବା ବିପୁଳ ପରିମାଣର ମୂଲ୍ୟବାନ କାଠକୁ ଜବତ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ଅବୈଧ ଭାବରେ କାଠ ଗଛିତ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମାଲକାନଗିରି ବନାଞ୍ଚଳ ତରଫରୁ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୨୪ ଗ୍ରାମର ମିଥୁନ କବିରାଜଙ୍କ ବାସଗୃହରେ ଚଢଉ କରାଯାଇଥିଲା । ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ଵରେ ମାଲକାନଗିରି ବନାଞ୍ଚଳର ୨୦ ଜଣ ବନକର୍ମଚାରୀ ଏକକାଳୀନ କବିରାଜଙ୍କ ଘରେ ଚଢାଉ କରିଥିଲେ । ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା କରାଯାଇଥିବା ତଦନ୍ତ ୱାରେଣ୍ଟ ବଳରେ ବନପାଳ ରାଜେଶ କୁମାର ସେଠୀ ଏବଂ ଅନ୍ୟ କର୍ମଚାରୀ ତନଖି କରିଥିଲେ । ଏହି ତଦନ୍ତ ସମୟରେ କବିରାଜଙ୍କ ପରିବାର ସମ୍ପୂର୍ଣ ସହଯୋଗ କରିଥିଲେ । କବିରାଜ ଜଣେ ପେଶାଦାର କାଠ ବ୍ୟବସାୟୀ ବୋଲି ତଦନ୍ତରୁ ଜଣାପଡିଛି । ମିଥୁନଙ୍କ ଘରେ ଥିବା ସମସ୍ତ କାଠ ଚୋରା କାଠ ବୋଲି ପ୍ରାଥମିକ ତଦନ୍ତରୁ ପ୍ରମାଣିତ ହୋଇଥିଲା । ଚଢଉ ବେଳେ ବିପୁଳ ଶାଗୁଆନ କାଠ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧,୫୦,୦୦୦ ଟଙ୍କା ହେବ । ଜବତ କାଠ ଗୁଡିକ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ବନପାଳ ରାଜେଶ କୁମାର ସେଠୀଙ୍କ ଜିମାରେ ରଖାଯାଇଛି । ଆସାମୀମାନଙ୍କ ନାମରେ ଜଙ୍ଗଲ ଆଇନ ଅନୁସାରେ ଏକ ମକଦ୍ଦମା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଆଜିର ଏହି ଚଢ଼ାଉରେ ମାଲକାନଗିରି ବନାଞ୍ଚଳର ବନପାଳ ଦିବାକର ଜେନା, ହୃଷୀକେଶ ପାଣିଗ୍ରାହୀ, ମନ୍ତୋଷ ଦେ, ସୁବାସ ମଣ୍ଡଳ ଏବଂ ବନାଞ୍ଚଳର ସମସ୍ତ ବନରକ୍ଷୀ ଏବଂ ଜଙ୍ଗଲ ସୁରକ୍ଷା ସ୍କୁଆର୍ଡ ଅଂଶଗ୍ରହଣ କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି )