୨୫ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଆରଆଇ ।

ମାଲକାନଗିରି।,୦୫/୦୭(ପିପିଟି): ମାଲକାନଗିରି ତହସିଲ ଅନ୍ତର୍ଗତ ସିନ୍ଦ୍ରିମାଳ ଆରଆଇ ୨୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲ ଯାଇଥିବା ଜଣାପଡିଛି।
ଘଟଣାଟିରୁ ପ୍ରକାଶ ଯେ ମାଲକାନଗିରି ନିକଟରେ ଉଡାଜାହାଜ ଅବତରଣ ପଡିଆ ନିର୍ମାଣ ଲାଗି ଜମି ଅଧିଗ୍ରହଣ କରିଥିଲା ବେଳେ କ୍ଷତି ପୂରଣ ବାବଦକୁ ସରକାର ଜମି ହରାଇଥିବା ଜମ ମାଲିକଙ୍କୁ ଆର୍ଥିକ ସହାୟତା କରିଥାଆନ୍ତି। ସେହିପରି ଗୌଡଗୁଡା ଗ୍ରାମର ମାୟାରାଣୀ ମଣ୍ଡଳ ଜମିର କ୍ଷତି ପୁରଣ ବାବଦକୁ ସରକାରଙ୍କ ଠାରୁ ୭ ଲକ୍ଷ ୩୧ ହଜାର ୬୪୨ ଟଙ୍କା ପାଇଥିବା ବେଳେ ମାୟାରାଣୀ ମଣ୍ଡଳଙ୍କ ଜମିର କାଗଜ ପତ୍ର କରିବା ବାବଦରେ ସିନ୍ଦ୍ରିମାଳ ଆରଆଇ ଟଙ୍କା ମିଳିଲେ ୩୦ ହଜାର ଟଙ୍କା ଦେବାକୁ ପୂର୍ବରୁ କଥାବାର୍ତ୍ତା କରିଥିଲେ। ଜମି କ୍ଷତି ପୂରଣ ଟଙ୍କା ମିଳିବା ଖବର ଶୁଣି ଆରଆଇ ସୀମାଞ୍ଚଳ ସାହୁ ମାୟାରାଣୀ ମଣ୍ଡଳଙ୍କୁ କହିଥିଲେ। ମାୟାରାଣୀ ମଣ୍ଡଳ ୩୦ ହଜାର ଟଙ୍କା ବଦଳରେ ୨୫ ହଜାର ଟଙ୍କା ଦେବାକୁ କହିଥିଲେ।ଏଣେ ଆରଆଇ ସୀମାଞ୍ଚଳ ସାହୁ ବାରମ୍ବାର ଲାଞ୍ଚ ନେବା ପାଇଁ ଚାପ ପ୍ରୟୋଗ କରୁଥିବାରୁ ମାୟାରାଣୀ ମଣ୍ଡଳ ସ୍ଥାନୀୟ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଆଜି ସକାଳେ ୨୫ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା ବେଳେ ସିନ୍ଦ୍ରିମାଳ ଆରଆଇ ସୀମାଞ୍ଚଳ ସାହୁ ମାୟାରାଣୀ ମଣ୍ଡଳଙ୍କ ଘରକୁ ଯାଇ ଉତ୍କୋଚ ଟଙ୍କା ଗ୍ରହଣ କରୁଥିଲେ। ଠିକ ଏହି ସମୟରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଆରଆଇ ସୀମାଞ୍ଚଳ ସାହୁଙ୍କୁ ରେଡ୍ ହ୍ଯାଣ୍ଡଡ୍ କାବୁ କରିଥିଲେ। ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଆରଆଇ ସୀମାଞ୍ଚଳ ସାହୁଙ୍କ ବିରୁଦ୍ଧରେ ଲାଞ୍ଚ ନେଉଥିବା ଅଭିଯୋଗରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ଅନ୍ୟାନ୍ୟ ଜମି ଅଧିଗ୍ରହଣ କରାଯାଇଥିବା ଜମି ମାଲିକଙ୍କ ଠାରୁ ରାଜସ୍ବ ନୀରିକ୍ଷକ ମୋଟ ଅଙ୍କର ଉତ୍କୋଚ ନେଇ ଥିବା ଅଭିଯୋଗ ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Comments (0)
Add Comment