ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ।

ମାଲକାନଗିରି ,୨୯/୦୬(ପିପିଟି): ମାଲକାନଗିରି ସଦର ମହକୁମାରେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଶିଶୁଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଉଦଘାଟିତ ହୋଇଯାଇଛି।ଏହି ଶୋଭାଯାତ୍ରା ପ୍ରଭାଗୀୟ ଶ୍ରମ କାର୍ଯ୍ୟାଳୟରୁ ବାହାରି ସୁଭାଷ ବୋଷ ଓ ବାଲିମେଳା ଛକ ଦେଇ ଉପ ଜିଲ୍ଲପାଳଙ୍କ ବାସସ୍ଥାନ ପର୍ଯ୍ୟନ୍ତ ପରିକ୍ରମା କରି ଥିଲା। ଏହି ପଦଯାତ୍ରାରେ ଶିଶୁ ଶ୍ରମ ଆଇନ ସମ୍ପର୍କିତ ଦଣ୍ଡବିଧାନ ସହ ଶିଶୁ ଶ୍ରମିକ ମାନଙ୍କର ଉଦ୍ଧାର ଓ ଥଇଥାନ ସମ୍ପର୍କରେ ସଚେତନ କରାଯାଇଥିଲା।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାକୁ ଏକ ଶିଶୁଶ୍ରମିକ ମୁକ୍ତ ରାଜ୍ୟ କରିବା ନିମନ୍ତେ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହା ଅନ୍ତର୍ଗତ ଶିଶୁ ଓ କିଶୋର ଶ୍ରମିକ ( ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬କୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଶିଶୁ ଶ୍ରମିକ ନିରାକରଣ ଶୋଭାଯାତ୍ରା ଓ କର୍ମଶାଳା ଆୟୋଜନ କରାଯାଉଛି।
ଏହି ଶୋଭାଯାତ୍ରାରେ ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ଥିବା ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ମା’ ଗୃହର ସଦସ୍ୟମାନେ ଅଂଶ ଗ୍ରହଣ କରିଥିବା ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁରାଧା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ସହକାରୀ ଶ୍ରମ ଅଧିକାରୀ ବିଶ୍ବରଂଜନ କହଁର ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ’ ମାଲକାନଗିରି)

Comments (0)
Add Comment