ପୋଲସରା,୨୭/୦୬(ପିପିଟି): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବୁଗୁଡ଼ା ବ୍ଲକ ଛକରୁ ଏକ ରାଲି ବାହାରି ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଲିଖିତ ପ୍ଲା କାର୍ଡ ଧରି ନଗର ପରିକ୍ରମା କରିଥିବା ସହ ବସଷ୍ଟାଣ୍ଡକୁ ଯାଇ ନୃତ୍ୟ ଗୀତରେ ମସଗୁଲ କରାଇ ଜନହିତକର ସ୍ଲୋଗାନ ଦେଇଥିଲେ । ସ୍ଥାନୀୟ ଅବକାରୀ ବିଭାଗ,ପୋଲିସ ବିଭାଗ ଏବଂ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଦ୍ୟାଳୟ ଶାଖାର ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଅଧିକାରୀ କେ.ନିଳମାଧବ ଆଚାରୀ,ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଦ୍ୟାଳୟ ଶାଖାର ମା ମାନେ ଏବଂ ପୋଲିସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ପ୍ରତିଷ୍ଠିତ ହୋଇଥିବା କଳା,ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପ୍ରତିଷ୍ଠାତା ତଥା ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ପକ୍ଷରୁ ନିଶା ନିବାରଣ ଦିବସ ପାଳନ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନିଶାଦ୍ରବ୍ୟ ସେବନର କୁପରିଣତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସଂସଦ ସଭାପତି ହରପ୍ରସାଦ ଦାଶଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଅଶୋକ ନନ୍ଦ ଓ ବସନ୍ତ କୁମାର ବିଷୋୟୀଙ୍କ ସମେତ ବହୁ ବରିଷ୍ଠ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ କେଦାରନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା