କେନ୍ଦୁ ପତ୍ର ଫଡିରେ ଶିଶୁ ଶ୍ରମିକ ନିୟୋଜତ ।

ମାଲକାନଗିରି,୧୩/୦୫(ପିପିଟି): ଜୟପୁର କେନ୍ଦୁ ପତ୍ର ଡିଭିଜନ ଅଧୀନ କାଲିମେଳା ବନାଞ୍ଚଳରେ କେନ୍ଦୁ ପତ୍ର କ୍ରୟ ପାଇଁ ପଞ୍ଚାୟତ ଗୁଡିକରେ ୪୦ ହଜାର ଟଙ୍କାର ବିବିଧ ଆୟ ରସିଦ କାଟି ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ବେସରକାରୀ ସଂସ୍ଥା କେନ୍ଦୁ ପତ୍ର କିଣୁଛନ୍ତି । ଏହିସବୁ କ୍ରୟ ସଂସ୍ଥା ଗୁଡିକ ବାହାରୁ ଅଳ୍ପ କିଛି ଶ୍ରମିକ ଆଣି ସେମାନଙ୍କ ସହ ଫଡି କରିଥିବା ସ୍ଥାନରେ ନିକଟସ୍ଥ ଗ୍ରାମଗୁଡିକର ନାବାଳକ ଶିଶୁ ଶ୍ରମିକମାନଙ୍କୁ ପତ୍ର ଓଲଟାଇ ଶୁଖାଇବା କାମରେ ନିୟୋଜିତ କରୁଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ସଂପୃକ୍ତ କ୍ରୟସଂସ୍ଥା ବିରୁଧରେ ନିଆ ଯାଉ ନଥିବାରୁ ଏଭଳି ଘଟଣା ନିତିଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଫଡିରେ କାର୍ଯ୍ୟ କରୁଥିବା ଶିଶୁ ଶ୍ରମିକମାନଙ୍କୁ ୧୦୦ କେରି ପତ୍ର ଓଲଟାଇଲେ ମଜୁରି ବାବଦକୁ ମାତ୍ର ୫ଟଙ୍କା ଲେଖାଏଁ ଦିଆଯାଉଥିବା ଜଣାପଡିଛି । ଏଥିରେ ସ୍ଥାନୀୟ ମୁନସୀ ଏବଂ କମ୍ପାନି ମ୍ୟାନେଜର ଫାଇଦା ଉଠାଉଥିବା ଜଣାପଡିଛି ।କାଲିମେଳା କେନ୍ଦୁ ପତ୍ର ରେଞ୍ଜ ଅଧିନ ଟିଗଲ ପଞ୍ଚାୟତ ର ଏମ୍ ପି ଭି-୬୫ ,ଖାତା ନମ୍ବର -୫୫୮,ପ୍ଲଟ ନମ୍ବର -୧୭୯୦ ରେ ହୋଇଥିବା ଫଡିରୁ ଏମ ଭି -୭୯ ଥାନା ଅନ୍ତର୍ଗତ ଲାଛିପେଟା ଗ୍ରାମର ବାହାଦୂର ଟ୍ରେଡିଙ୍ଗ ନାମକ ସଂସ୍ଥା କେନ୍ଦୁପତ୍ର ସଂଗ୍ରହ କରୁଛି । କେନ୍ଦୁପତ୍ର କେରୀକୁ ଖରାରେ ଓଲଟାଇ ଶୁଖାଇବା କାର୍ଯ୍ୟରେ ୬ ଜଣ ଶିଶୁ ଶ୍ରମିକ ଆଜି କାମ କରୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ମୁନସୀ ଇନ୍ଦ୍ର୍ରଜିତ ବୈରାଗୀଙ୍କ ଉପସ୍ଥିତିରେ ୧୦୦ଟି କେରୀ ଓଲଟାଇଲେ ୫ଟଙ୍କା ଲେଖାଏଁ ଦିଆଯାଉଛି ବୋଲି କାମକରୁଥିବା ଶିଶୁ ଶ୍ରମିକମାନେ ପ୍ରକାଶ କରିଥିଲେ । କାଲିମେଳା ରେଞ୍ଜରେ ଶି ଶୁଙ୍କୁ କାମରେ ଲଗାଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରତିଦିନ ଖବର ପ୍ରକାଶ ପାଉଥିଲେ ମଧ୍ୟ ଏ ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଏବଂ ଫଡି ଗୁଡିକରେ ସାମାନ୍ୟ କିଛି ଟଙ୍କା ଲୋଭ ଦେଖାଇ ଶିଶୁଙ୍କୁ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment