ମାଲକାନଗିରି,୧୭/୦୮(ପିପିଟି); ବଳାତ୍କାର ଉଦ୍ୟମ କରି ଆଜି ଜଣେ ବରିଷ୍ଠ କିରାଣୀ ଗିରଫ ହୋଇଥିବା ଘଟଣା କାଲିମେଳା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟଛି । ଗିରଫ ବରିଷ୍ଠ କିରାଣୀ ଜଣଙ୍କ ହେଉଛନ୍ତି କାଲିମେଳା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଲକ୍ଷ୍ମଣ ରାଉତ । ଲକ୍ଷ୍ମଣ ରାଉତ କାଲିମେଳା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜଣେ ମହିଳା କନିଷ୍ଠ କିରାଣୀଙ୍କୁ କିଛି ବର୍ଷ ଧରି ଯୌନ ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ଗତ ଶନିବାର ରାତିରେ ମହିଳା କର୍ମଚାରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ନେଇ ସୋମବାର ଦିନ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଜଗଦୀଶ ବାରା ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ କରିଥିଲେ । ଅଭିଯୋଗ ଆସିଥିବା କିରାଣୀ ଲକ୍ଷ୍ମଣଙ୍କୁ କାର୍ଯ୍ୟାଳୟରୁ ପୋଲିସ ଉଠାଇ ନେଇ ପଚାର ଉଚରା କରୁଥିବା ବେଳେ ଏ ନେଇ ଏକ ମାମଲା ରୁଜୁ କରି ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଥିବା ଏହି ଘଟଣାର ତଦନ୍ତ କରୁଥିବା ମାଲକାନଗିରି ଏସଡିପିଓ ସତ୍ୟ ବିକାଶ ଭୂୟାଁ ସୂଚନା ଦେଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୋଗ କାରିଣୀ ଥିବା ମହିଳା କିରାଣୀ ଜଣଙ୍କ ବିଗତ ୨୦୨୧ ମସିହାରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବରେ ଚାକିରୀ କରିଆସୁଥିଲେ ବେଳେ ଗତ ୨୦୧୭ ମସିହାରେ କାଲିମେଳା ତହସିଲ କାର୍ଯ୍ଯାଳୟକୁ ବଦଳି ହୋଇ ଆସିଥିଲେ । ତହସିଲ କାର୍ଯ୍ୟ କରୁଥିବା ଲକ୍ଷ୍ମଣ ରାଉତ ମହିଳା ଜଣଙ୍କ କାମ କରୁଥିବା ବେଳେ ତାଙ୍କ ପାଖକୁ ଆସି ଅଶ୍ଲୀଳ ବ୍ୟବହାର କରିବା ସହିତ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଆସୁଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏପରି ଘଟଣା ଦୀର୍ଘ ଦିନ ଧରି ଚାଲୁ ଥିବା ବେଳେ ଏବଂ ମହିଳା ଜଣଙ୍କ ବିବାହ କରିଥିଲେ ମଧ୍ୟ ତାଙ୍କ ସହ ସମ୍ପର୍କ ରଖିବାକୁ ଲକ୍ଷ୍ମଣ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ ଏକାକୀ ରହୁଥିବା ବେଳେ ତାଙ୍କୁ ଲକ୍ଷ୍ମଣ ନିଜ କ୍ବାର୍ଟରକୁ ଆସିବା ପାଇଁ ବାଧ୍ୟ କରୁଥିଲେ । ଏପରିକି ଗତ ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ବଳାତ୍କାର ଉଦ୍ୟମ କରିଥିବା ବେଳେ ରବିବାର ରାତିରେ ମଧ୍ୟ ହଇରାଣ ହରକତ କରିଥିଲେ । ଶେଷରେ ବାଧ୍ୟ ହୋଇ ପୀଡିତା ଜଣଙ୍କ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲକ୍ଷ୍ମଣ ଜଣେ ବରିଷ୍ଠ କିରାଣୀ ହୋଇଥିବା ବେଳେ ନିଜ କାର୍ଯ୍ୟାଳୟର ଜଣେ ମହିଳା କନିଷ୍ଠ କିରାଣୀଙ୍କୁ ଏଭଳି ନିର୍ଯାତନା ନିନ୍ଦନୀୟ ଘଟଣା । ଅଭିଯୋଗକୁ ଭିତ୍ତିକରି କାଲିମେଳା ଥାନାରେ ଏକ ମାମଲା ୧୯୧/୨୧ ଧାରା ୩୭୬(୨)(ଏନ୍),୩୫୪ ବି,୩୫୪ ଡି ,୩(୧)(ଡବ୍ଳୁ)(୨) ୩(୨) (ଭି),ଆଟ୍ରୋସିଟି ଆକ୍ଟରେ ମାମଲା ଋଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)