ୱାଟକୋ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ଡଃ ମହାପାତ୍ର ।

ଭୁବନେଶ୍ୱର, ୦୧/୧୦(ପିପିଟି): ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ୱାଟକୋ ଦ୍ୱାରା କାର୍ଯ୍ୟାନ୍ୱିତ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକଳାପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଉନ୍ନତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଜଳଯୋଗାଣ ଓ ସ୍ୱେରେଜ୍‌ ଭିତ୍ତିଭୂମି, ପ୍ରକଳ୍ପର ଭୌତିକ ଓ ଆର୍ଥିକ ଅଗ୍ରଗତି, ଡବ୍ଲ୍ୟୁଟିପି ଓ  ଏସ୍ ଟି ପିର କାର୍ଯ୍ୟକାରିତା ସହ ନାଗରିକ ସେବା ସମ୍ପର୍କରେ ଆଲୋଚନା ହୋଇଥିଲା ।

ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ୱାଟକୋର କାର୍ଯ୍ୟକ୍ଷେତ୍ର, ଚାଲୁଥିବା ପ୍ରମୁଖ ଜଳଯୋଗାଣ ଓ ସ୍ୱେରେଜ୍‌ ପ୍ରକଳ୍ପ, ଜଳ ବିଶୋଧନାଗାର ଏବଂ ମଳଜଳ ବିଶୋଧନାଗାରର ସ୍ଥିତି ଉପରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ । ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟରେ ସମାପ୍ତି, ଅନୁଦାନର ସଠିକ୍‌ ଉପଯୋଗ ଏବଂ କାର୍ଯ୍ୟାନ୍ୱୟନରେ ଥିବା ସମସ୍ୟାର ତୁରନ୍ତ ସମାଧାନ ଉପରେ ମନ୍ତ୍ରୀ ଡଃ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ୱାଟକୋର ଆର୍ଥିକ ପ୍ରଦର୍ଶନ ମଧ୍ୟ ସମୀକ୍ଷା କରାଯାଇଥିଲା । ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍‌ ବ୍ୟବସ୍ଥା, ବ୍ୟୟ ଓ ଆର୍ଥିକ ଅନୁଦାନର ବ୍ୟବହାରର ଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରକଳ୍ପଭିତ୍ତିକ ବ୍ୟୟର ନିୟମିତ ତଦାରଖ ଏବଂ କାର୍ଯ୍ୟାନ୍ୱୟନ ସମ୍ପର୍କିତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ୱାଟକୋର କାର୍ଯ୍ୟକ୍ଷେତ୍ର ଅଧୀନରେ ନବଗଠିତ ବିଜ୍ଞପିତ ଅଞ୍ଚଳ ପରିଷଦ ଗୁଡ଼ିକର ଦାୟିତ୍ୱ ଗ୍ରହଣ ଓ ହସ୍ତାନ୍ତର ପ୍ରକ୍ରିୟା ନେଇ ମଧ୍ୟ ଆଲୋଚନା ହୋଇଥିଲା । ସରକାରୀ ବିଜ୍ଞପ୍ତି ଅନୁଯାୟୀ ୱାଟକୋଠାରୁ ଓଡ଼ିଶା ଜଳଯୋଗାଣ ଓ ସ୍ୱେରେଜ୍‌ ବୋର୍ଡକୁ ସ୍ୱେରେଜ୍‌ କାର୍ଯ୍ୟ ହସ୍ତାନ୍ତର ପ୍ରସଙ୍ଗରେ ଦାୟିତ୍ୱର ସ୍ପଷ୍ଟତା ଓ ସେବାର ନିରନ୍ତରତା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏଥିସହ ସୁଜଳ ଯୋଜନା ଅଧୀନରେ ଅକ୍ଟୋବର ୨ରୁ ୧୬ ପର୍ଯ୍ୟନ୍ତ ୱାଟକୋ ପକ୍ଷରୁ ଆୟୋଜନ ହେବାକୁ ଥିବା ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସମୀକ୍ଷା ହୋଇଥିଲା । ଜଳଯୋଗାଣ ସେବା, ଦାୟିତ୍ୱଶୀଳ ଜଳ ବ୍ୟବହାର, ସେବା ସମ୍ପର୍କିତ ସୂଚନା ଏବଂ ନାଗରିକଙ୍କ ଅଂଶଗ୍ରହଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିବ ।

ଚାଲୁଥିବା ସମସ୍ତ ପ୍ରକଳ୍ପର ନିୟମିତ ତଦାରଖ ସହ ସମୟୋଚିତ କାର୍ଯ୍ୟାନ୍ୱୟନ, ଆର୍ଥିକ ଶୃଙ୍ଖଳା, କାର୍ଯ୍ୟର ଗୁଣବତ୍ତା ଓ ନାଗରିକଙ୍କୁ ଉନ୍ନତ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଡଃ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟାନ୍ୱୟନକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ବଢ଼ାଇବା ଏବଂ ପ୍ରକଳ୍ପ କାର୍ଯ୍ୟରେ ଥିବା ବାଧାଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ ।

ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ, ୱାଟକୋ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ବୈଠକ ଶେଷରେ ୱାଟକୋର ନିର୍ଦ୍ଦେଶକ (ପ୍ରକଳ୍ପ) ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment