୯୨ ତମ ଶ୍ରାଦ୍ଧଉତ୍ସବରେ ମଧୁ ବାବୁଙ୍କୁ ଭାରତ ଗୌରବ ସମ୍ମାନ ଦାବୀ ।

ଭୁବନେଶ୍ୱର,୦୫/୦୨(ପିପିଟି):ସ୍ଥାନୀୟ ରାଜଭବନ ଛକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ୯୨ ତମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୁତିଚାରଣ କାର୍ଯ୍ୟକ୍ରମ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅନୁଷ୍ଠିତ ହୋଇଛି। ସଂଗଠନର ଅଧ୍ୟକ୍ଷ ତଥା ସଂସ୍କୃତି ପୁରୁଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ନିଶା ନିବାରଣ ମୁକ୍ତି ଅଭିଯାନର ସଭାପତି ପଦ୍ମଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁଙ୍କ ସ୍ମୁତିଚାରଣ ପୂର୍ବକ ତାଙ୍କୁ ଭାରତ ଗୌରବ ସମ୍ମାନ ପ୍ରଦାନ କରାଯିବାକୁ ମତବ୍ୟକ୍ତ କରିଥିଲେ। ଏପରିକି ବିଭିନ୍ନ ରାଜ୍ୟରେ ଦେଶ ତଥା ଜାତି ପାଇଁ ସହୀଦ ବୀରପୁରୁଷଙ୍କ ନାମରେ ଯେଭଳି ଗୋଟିଏ ଗୋଟିଏ ଇଲାକା ନାମିତ ହୋଇଛି ଠିକ୍ ସେହିପରି ଭୁବନେଶ୍ୱରର ଏକ ନିର୍ଦ୍ଧିଷ୍ଟ ଇଲାକାକୁ ମଧୁନଗରି ଭାବେ ଘୋଷଣା କରିବାକୁ କହିଥିଲେ। ଏହାକୁ ଉପସ୍ଥିତ ସମସ୍ତ ମଧୁପ୍ରେମୀ ସ୍ୱାଗତ କରିବା ସହିତ ସମର୍ଥନ ଜଣାଇଥିଲେ। ଅଧ୍ୟକ୍ଷ ଶ୍ରୀ ଶତପଥୀ ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଂଯୋଜକ ଯୁବ ସମାଜସେବୀ ନାରାୟଣ ଓଝାଙ୍କୁ ଦାୟୀତ୍ୱ ଅର୍ପଣ ସହ ରାଜ୍ୟର ସମସ୍ତ ସାଂସଦ, ବିଧାୟକ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ଠାରୁ ସ୍ୱାକ୍ଷର ସଂଗ୍ରହ ଦାବୀ ପତ୍ର ଅଭିଯାନ ହେବ ବୋଲି ଘୋଷଣା କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର ଉପାଧ୍ୟକ୍ଷ ଭୃଗୁ ବକ୍ସିପାତ୍ର, ଭାଷାପ୍ରାଣ ମନୋରଂଜନ ମହାନ୍ତି, ପ୍ରବୀର ମହାନ୍ତି, ଅରବିନ୍ଦ ତ୍ରିପାଠୀ, ରମେଶ ପାତାଳସିଂ, ଅମୀତ ପାଲ୍‌, ସଂଜୟ ସିଂହ,ସଂଜୟ ପରିଡା,ବରିଷ୍ଠ ସାମ୍ବାଦିକ ମୁରଲୀଧର ମିଶ୍ରଙ୍କ ସମେତ ବହୁ ପୂଜ୍ୟପୂଜା ପ୍ରାଣ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments (0)
Add Comment