୮୭୧୨ ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ;୩ହଜାର ହେକ୍ଟର ଧାନ ଓ ପନିପରିବା ଫସଲ ଉଜୁଡିଲା ।

ବାଲିଆପାଳ,୧୯/୦୯:ସୁବର୍ଣ୍ଣରେଖା ନଦୀର ପ୍ରଳୟଙ୍କରୀ ବନ୍ୟାର ତାଣ୍ଡବ ଆଜି ତୃତୀୟ ଦିନରେ ମଧ୍ୟ ବାଲିଆପାଳ ବ୍ଲକରେ ଜାରି ରହିଛି । ନଦୀର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ୧୦ଟି ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ୱ ଗାଁ ର ଆଜିମଧ୍ୟ ପାଣି ଘେରରେ ରହିଛି । କୁମ୍ଭାରୀ, ନିଖିରା, ଘଂଟୁଆ, ଅସ୍ତି,ବାଲିଆପାଳ,ବିଷ୍ନୁପୁର, ମଧୁପୁରା, ଜାମକୁଣ୍ଡା,ଦେଭୋଗ, ଶ୍ରୀରାମପୁର ପଞ୍ଚାୟତର ୬୦ ରୁ ଉର୍ଦ୍ଧ୍ବ ପାଣି ଘେରରେ ରହିଛି । ଜାମକୁଣ୍ଡା ପଞ୍ଚାୟତର ବଡ ତାଳପଦା,ସାନ ତାଳପଦା,କୁମ୍ଭାରୀ ପଞ୍ଚାୟତର ଝଲଝଲିଆନିଖିରା ପଞ୍ଚାୟତର ପାଳବେଗୁନିଆ,ଚଡପାଳପଡା, ଅସ୍ତି ପଞ୍ଚାୟତର ପାଳଚମ୍ପେଇ, ସରଦାରସାହି,ବଡଖାନପୁର,କଣ୍ଟାବଣି, ମଧୁପୁରା ପଞ୍ଚାୟତର ଚଡବସ୍ତ କାଳରୁଇ,ଚୌଧୁରିକୁଦ ପ୍ରଭୃତି ଗ୍ରାମ ସମ୍ପର୍ଣ୍ଣ ପାଣି ଘେରରେ ରହିଛି ବ୍ଲକ ପ୍ରଶାସନ ପକ୍ଷରୁ ଆଜି ମଧ୍ୟ ୨୬ଟି କ୍ୟାମ୍ପରେ ୮୭୧୨ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ବିଡିଓ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଗ୍ରାମ ନଳକୂପ ସବୁ ପାଣିରେ ବୁଡି ରହିଥିବାରୁ ଲୋକମାନେ ବାଧ୍ୟ ହୋଇ ଦୁଷିତ ପାଣି ପିଉଛନ୍ତି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହି ପାନୀୟଜଳ ଗାଡି ଗୁଡିକ ମୁଖ୍ୟ ରାସ୍ତା ଉପରେ ରହୁଥିବାରୁ ଗାଁ ଭିତରୁ ଆସି ଲୋକମାନଙ୍କୁ ପାଣି ନେବା ସମ୍ଭବପର ହୋଇପାରୁିନଥିବା ବହୁ ବିପନ୍ନ ଅଭିଯୋଗ କରିଛନ୍ତି । ସେହିପରି ବହୁ ଘରେ ଚୁଲି ଜଳିନଥିବା ବେଳେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଯୋଗଇ ଦେବା ପାଇଁ ଦାବି ହୋଇଛି ।ସେହିପରି ଗୃହପାଳିତ ପଶୁମାନେ ଗତ ପାଞ୍ଚ ଦିନ ଧରି ଭୋକ ଉପବାସରେ ରହିଛନ୍ତି । ସୁବର୍ଣ୍ଣରେଖା ନଦୀର ବନ୍ୟାରେ ବ୍ୟାପକ ପନିପରିବା ଓ ଧାନ ଫସଲ ନଷ୍ଟ ହେବା ନିଶ୍ଚିତ ହୋଇଛି । ଜାମକୁଣ୍ଡା ଲକ ନିକଟରେ ଥିବା ସୁଇଚ ଗେଟ ଜଳସେଚନ ବିଭାଗ ପକ୍ଷରୁ ନବ ନିର୍ମିତ ସୁଇଚ ଗେଟ ଅଧପନ୍ତରିଆ ହୋଇପଡିଥିବାରୁ ବନ୍ୟାଜଳ ସୁଇଚ ଗେଟ ଦେଇ କେନାଲରେ ପ୍ରବେଶ କରିଛି । ଫଳରେ ଷୋଳଷାପାଣ୍ଠ ସମେତ କେନାଲ ପାର୍ଶ୍ବବର୍ତ୍ତୀ ଶହ ଶହ ହେକ୍ଟର ଧାନ ଫସଲ ବ୍ୟାପକ କ୍ଷତି ହେବା ସମ୍ଭାବନା ଦେଖାଦେଇଛି । ବାଲିଆପାଳ ବ୍ଲକ କୃଷିବିଭାଗର ଆକଳନ ଅନୁଯାଇ ୧୩ଟି ପଞ୍ଚାୟତର ୨୯୧୦ ହେକ୍ଟର ଧାନଫସଲ ପାଣିରେ ବୁଡିରହିଥିବା ବେଳେ ୬ଟି ପଞ୍ଚାୟତର ୬୦ ହେକ୍ଟରରୁ ଉର୍ଦ୍ଧ୍ବ ପନିପରିବା ଚାଷ ବୁଡି ରହିଛି । ତିନିଦିନ ଧରି ପାଣିରେ ବୁଡି ରହିଥିବାରୁ ଏସବୁ ଫସଲ ଉଜୁଡିଯିବା ଚିନ୍ତାରେ ଚାଷିମାନେ ଦିନ କାଟୁଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ରିଲିଫ ଯୋଗଇବା ପାଇଁ ଦାବି ହୋଇଛି ।

Comments (0)
Add Comment