୮ଘଣ୍ଟା ପରେ ମଧ୍ୟ ଗାଡ଼ିରୁ ସାପ ବାହାରିଲାନି ।

ଭଞ୍ଜନଗର ୨୬/୦୭(ପିପିଟି) :ବର୍ଷା ଋତୁରେ ସାପମାନେ ଅଧିକ ଚଳପ୍ରଚଳ ହୁଅନ୍ତି।ତେଣୁ ସମସ୍ତଙ୍କ ମନରେ ସାପ ପ୍ରତି ଭୟ ଅଧିକ ଥାଏ। ଗାତରେ ପାଣି ଜମି ରହିବା କାରଣରୁ ସାପ ମାନେ ଏଣେତେଣେ ଘୂରି ବୁଲୁଥାନ୍ତି।ସେମାନଙ୍କ ପ୍ରାଦୁର୍ଭାବ ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଅକାରଣରେ ଚାଲି ଯାଉଛି।ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର କର୍ମଚାରୀ କାଳୀ ପ୍ରସାଦ ତ୍ରିପାଠୀଙ୍କ ସ୍କୁଟିରେ ଏକ ନାଗସାପ ଶନିବାର ସକାଳ ୧୦ଟା ସମୟରେ ପଶି ଯାଇଥିଲା।ଏହାଦେଖି କଲେଜର ଛାତ୍ରମାନେ ହୋ-ହଲ୍ଲା କରିବା ପରେ କାଳୀପ୍ରସାଦ ଆସି ସାପକୁ ଗାଡ଼ିରୁ ବାହାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ। କିନ୍ତୁ ସାପ ଗାଡିରୁ ବାହାରି ନ ଥିଲା।ଯାହା ଫଳରେ ସମସ୍ତେ ଏକ ଅଜଣା ଭୟରେ ରହିଥିଲେ। ସାପକୁ ବାହାର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ ପରେ ଗାଡ଼ିକୁ ଲଙ୍କାଧୂଆଁ ଦେଇ ଫିନାଇଲ ମଧ୍ୟ ପକାଇଥିଲେ। ତଥାପି ସାପଟି ଗାଡ଼ିରୁ ବାହାରି ନ ଥିଲା। ଶେଷରେ କାଳୀ ପ୍ରସାଦ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୀର୍ଘ ୮ ଘଣ୍ଟା ଗାଡ଼ିକୁ ଜଗି ରହିଥିଲେ। ଶେଷରେ ସେ ଭୟଭୀତ ଅବସ୍ଥାରେ ଗାଡ଼ିକୁ ନେଇ ଏକ ଗ୍ୟାରେଜରେ ଦେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଏହି କଲେଜରେ ଇତିହାସ ବିଭାଗ ଅଧ୍ୟାପକ ଡ. ସୀମାଞ୍ଚଳ ବେହେରାଙ୍କ ବାଇକ୍‌ରେ ମଧ୍ୟ ସାପ ଗତ ସପ୍ତାହରେ ପଶି ଯାଇଥିଲା। ଏଥିପାଇଁ ସୀମାଞ୍ଚଳ ମଧ୍ୟ ବହୁ ଚେଷ୍ଟା କରିଥିଲେ ମଧ୍ୟ ସାପ ବାହାରି ନ ଥିଲା।ତେଣୁ ବର୍ତ୍ତମାନ ସମୟରେ ସମସ୍ତଙ୍କ ମନରେ ସାପ ଭୟ ଘାରିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment