୭୫ମିଟର ଲମ୍ବ ତ୍ରିରଙ୍ଗା ଧରି ସହର ପରିକ୍ରମା ।

ଭଞ୍ଜନଗର,୧୫/୦୮(ପିପିଟି): ଦେଶ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦେଶ ବ୍ୟାପି ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଯାହା ଫଳରେ ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବା ନିମନ୍ତେ ସରକାର ଆହ୍ୱାନ ଦେଇଥିଲେ। ଏହି ୭୬ତମ ସ୍ୱାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ତରଫରୁ ସକାଳ ୭ଘଣ୍ଟା ସମୟରେ ସ୍ଥାନୀୟ ଖାଲା ସାହି ଶିଶୁ ଉଦ୍ୟାନ ଠାରେ ସଂଘର ସଦସ୍ୟା ପ୍ରିୟଙ୍କା ଦୋରାଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ସଂଘର ସମସ୍ତ ସଦସ୍ୟ ଏବଂ ଅନ୍ୟାନ୍ୟ ସଙ୍ଗଠନ, ଏନସିସି,ସ୍କାଉଟ, ରେଡ଼କ୍ରସର ଛାତ୍ରଛାତ୍ରୀ ମାନେ ମିଶି ଏକ ବିଶାଳ ୭୫ମିଟର ଲମ୍ବର ଜାତୀୟ ପତାକା ଧରି ପରସ୍ପର ମଧ୍ୟରେ ଏକତା ଓ ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରୁ ବାହାରି ଭେଜିପୁଟ, ଷ୍ଟେଟ ବ୍ୟାଙ୍କ ଛକ, ଖାଲା ସାହି, ମେନ ରୋଡ଼, ବସ ଷ୍ଟାଣ୍ଡ, ପ୍ରେସ କ୍ଲବ ଦେଇ ହାଇସ୍କୁଲ ଛକରେ ସମାପ୍ତ ହୋଇଥିଲା। ଶେଷ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଓ ଅନ୍ୟ କିଛି ବୁଦ୍ଧିଜୀବୀ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। ବିପଦର ବନ୍ଧୁ ସଙ୍ଗଠନର ଏଭଳି ନିଆରା କାର୍ଯ୍ୟକ୍ରମକୁ ସହରବାସୀ ବେଶ ପ୍ରଶଂସା କରିଥିଲେ।

(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)

Comments (0)
Add Comment