ମାଲକାନଗିରି,ତା:୨୨/୧୧(ପିପିଟି): ଚିତ୍ରକୋଣ୍ଡା ଥାନା ପୋଲିସ ଏବଂ ମାଲକାନଗିରି ଅବକାରୀ ବିଭାଗ କର୍ମଚାରୀଙ୍କ ମିଳି ପ୍ରୟାସରେ ବଡପଦର ପଞ୍ଚାୟତ ନିକଟସ୍ଥ ରେଖାପଲ୍ଲୀ ଗ୍ରାମ୍ଯ ଜଙ୍ଗଲରେ ଲଗା ଯାଇଥିବା ୭୪ ଏକର ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି । ଏହା ବଜାର ମୂଲ୍ଯ ଏକ କୋଟି ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ସୁପରଟେଣ୍ଡାଣ୍ଟ ଅରୁଣ କୁମାର ପାଢି, ତହସିଲଦାର ଅଶୋକ କୁମାର ମୁଦୁଲି, ଆଇଆଇସି ଉଦୟଲାଲ ନାୟକ, ଓଆଇସି ରାମଜୀ ପଟେଲ, ଏଏସଆଇ ଦୀନେଶ କୁମାର,ରାଜୁ କୁମାର କ୍ଷିତି ସମସ୍ତ ଅବକାରୀ କର୍ମଚାରୀ ଏବଂ ଚିତ୍ରକୋଣ୍ଡ ପୋଲିସ କର୍ମଚାରୀ ଗଞ୍ଜେଇ ଚାଷକୁ ନଷ୍ଟ କରିଥିଲେ । ଚିତ୍ରକୋଣ୍ଡା ପର୍ବତାଞ୍ଚଳରେ କୌଣସି ଧାନ ଚାଷ ହେଉ ନଥିବା ବେଳେ ସେହି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନେ ଅଧିକାଂଶ ଗଞ୍ଜେଇ ଚାଷ ଉପରେ ନିର୍ଭରଶୀଳ ।ପରିବାର ପ୍ରତି ପୋଷଣ ଲାଗି ଗଞ୍ଜେଇ ଚାଷକୁ ଜୀବିକା ରୂପେ କେଉଁ ଅତୀତ କାଳରୁ କରି ଆସୁଥିବା ବେଳେ ବାହାର ରାଜ୍ଯରୁ ଗଞ୍ଜେଇ ମାଫିଆମାନେ ଚୋର ଚାଲାଣ କରି ଗଞ୍ଜେଇ ଚାଷୀ ଠାକୁ କ୍ରୟକରି ନେଇଥାନ୍ତି । କମ ଦିନରେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାରେ ଗଞ୍ଜେଇ ଚାଷକୁ କିଛି ମାଫିଆ ମାଧ୍ଯମ କରି ସଫଳ ହୋଇଥିବା ବେଳେ ବହୁ ମାଫିଆ ପୋଲିସ କବଳରେ ଧରାପଡି ଲମ୍ବା ସମୟ ଯାଏଁ ଜେଲ ଦଣ୍ଡ ଭୋଗୁଛନ୍ତି ।ମାଲକାନଗିରି ଜେଲଟି ଗଞ୍ଜେଇ ମାଫଆମାନଙ୍କ ଆଡ୍ଡାସ୍ଥଳୀ ହୋଇ ଥିବା ବେଳେ ପ୍ରତି ଦିନ ଗଞ୍ଜେଇ ମାଫିଆମାନଙ୍କ ବିପୁଳ ଅର୍ଥ ରୋଜଗାରର ମୋହରେ ପଡି ଏହି କୁତ୍ସିତ କର୍ମକୁ ଆପଣେଇ ନେଇଥାନ୍ତି । ତେବେ ବର୍ତ୍ତମାନ ଗଞ୍ଜେଇ ଚାଷ ଚିତ୍ରକୋଣ୍ଡା ଅଞ୍ଚଳରେ ହଜାର ହଜାର ଏକର ଚାଷ ହେଇଥିବା ବେଳେ କିଛି ଦିନ ହେଲା ପୋଲିସ ଏବଂ ଅବକାରୀ କର୍ମଚାରୀମାନେ ବ୍ଯାପକ ଅଞ୍ଚଳରେ ଗଞ୍ଜେଇ ଚାଷକୁ ନଷ୍ଟ କରୁଥିବା ଜଣା ପଡିଛି । ଏଣେ ଗଞ୍ଜେଇ ଚାଷ ପୋଲିସ ଏବଂ ଅବକାରୀ କର୍ମଚାରୀମାନେ ନଷ୍ଟ କରୁଥିବା ବେଳେ ସ୍ଥାନୀୟ ଗଞ୍ଜେଇ ଚାଷୀ ନିଜର ଜୀବନ ଜୀବୀକା ଚଳାଇବା ପାଇଁ ବିକଳ୍ପ ବ୍ଯବସ୍ଥା ସରକାରଙ୍କ ନିକଟରେ ଦାବି କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)