ଭଞ୍ଜନଗର,୨୩/୦୩(ପିପିଟି):ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା।ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବିଦେଶୀ ମଦ ଦୋକାନରୁ ଲୁଟ କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଗତ ୮ ତାରିଖରେ ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତମାନେ ଶାବଳରେ ଦୋକାନର ସଟର ତାଡ଼ି ୯୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିଲେ। ଏନେଇ ଦୋକାନ ମାଲିକ ମନୋଜ ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ଭଞ୍ଜନଗର ପୋଲିସ ୨୩୯/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।ଏହାପରେ ଦୁର୍ବୁତ୍ତ ମାନେ ମଦ ଦୋକାନକୁ ଟାର୍ଗେଟ କରି ଲଗାତାର ଭାବେ ଗଞ୍ଜାମ ଜିଲ୍ଲାର ୬ଟି ବିଦେଶୀ ମଦ ଦୋକାନରୁ ଚୋରି କରିଥିଲେ। ଦୁର୍ବୃତ୍ତମାନେ ରମ୍ଭା, ଛତ୍ରପୁର, ବେଗୁନିଆପଡ଼ା, ଛତ୍ରପୁର, ଗଞ୍ଜାମ, ଭଞ୍ଜନଗର ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ମଦ ଦୋକାନରୁ ଚୋରି କରି ଚାଲିଥିଲେ। ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ଥିଲା।ଦୁର୍ବୁତ୍ତ ମାନଙ୍କୁ ଧରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ବାରମ୍ବାର ଚୋରି ଯୋଗୁ ଏହାକୁ ରୋକିବା ପାଇଁ ବିଭିନ୍ନ ଥାନାର ଅଧିକାରୀଙ୍କୁ ନେଇ ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଏକ ଟିମ୍ ଗଠନ କରିଥିଲେ। ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ ଆଇପିଏସ ଅଧିକାରୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିଲା।ଏଥିସହ ପୋଲିସ ବୈଷୟିକ ଜ୍ଞାନ କୌଶଳକୁ ଆଧାର କରି ରବିବାର ପୁଣିଥରେ କୁଲାଡ଼ ମଦ ଦୋକାନରୁ ଚୋରି ଉଦ୍ୟମ କରୁଥିବା ଉକ୍ତ ୫ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ହିଞ୍ଜିଳି ଥାନା ବୁରୁ ପଦାର ବବୁଲୁ ଦଳାଇ, ପୁରୁଷୋତ୍ତମପୁର ଥାନା ଭାଟକୁମାରଡ଼ାର ରଞ୍ଜନ ରାଉଳ, ବୁଗୁଡ଼ା ଥାନା ଅରଖପୁରର ଅରୁଣ ନାୟକ, ଅଜୟ ନାୟକ ଓ ଚିତ୍ରସେନ ଜେନା। ଏଥିସହ ସେମାନଙ୍କଠାରୁ ଗୋଟିଏ କାର ସମେତ ୧ଲକ୍ଷ ୭୫ ହଜାର ଟଙ୍କା, ୬ଟି ମୋବାଇଲ ଫୋନ ଓ ଗୋଟିଏ ଶାବଳ ଜବତ କରାଯାଇଛି। ରବିବାର ଭଞ୍ଜନଗର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଥାନାର ପ୍ରୋବେସନାର ଆଇପିଏସ୍ ଅଧିକାରୀ ମନୀଷା ସଗୁନ ଅଭିଯୁକ୍ତମାନଙ୍କ ଗିରଫ କରାଯିବା ସହ ଦୁର୍ବୁତ୍ତମାନେ ମଦ ଦୋକାନରେ ଅଧିକ ଟଙ୍କା ଥିବା ଜାଣି ସେସବୁକୁ ଟାର୍ଗେଟ କରି ଲୁଟ କରିବାରେ ସଫଳ ହେଉଥିଲେ।ଗିରଫ ଅଭିଯୁକ୍ତମାନଙ୍କ ନାମରେ ଅନେକ ଚୋରି କେସ ଥିବା ବେଳେ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସମେତ ଅନ୍ୟ କେତେକ ଅଭିଯୁକ୍ତ ମଧ୍ୟ ସାମିଲ ଅଛନ୍ତି ତେଣୁ ସେମାନଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ ବୋଲି କହିଥିଲେ। ଏହି ସମୟରେ ଭଞ୍ଜନଗର ଏସ୍ଡିପିଓ ସୁଜିତ କୁମାର ନାୟକ, ଥାନାଧିକାରୀ ଜୀବନାନନ୍ଦ ଜେନା, ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ର, ଏସ୍ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀକାନ୍ତ ମହାନ୍ତି, ଲିପିନା ବିଶ୍ବାଳ,କେ. ପ୍ରସନ୍ନ ରେଡ୍ଡୀ, ସନ୍ତୋଷ ନାୟକ ଓ ଗଜେନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।
(ରିପୋର୍ଟ-ଜେ.କେ ପଟ୍ଟନାୟକ)