୫ଖଣ୍ଡ ଗ୍ରାମର ଜନତା ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି।

ତିର୍ତ୍ତୋଲ,୧୮/୧୦(ପିପିଟି ନ୍ଯୁଜ୍), ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ସମସ୍ତ ଦଳ ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ଦଳମତ ନିର୍ବିଶେଷରେ ଭୋଟ ବର୍ଜନ କରିବାକୁ ଏକାଠି ହେଉଛନ୍ତି କଟରା ପଞ୍ଚାୟତର ବେଗୁନିଆ,କୋରକୋର,ହାଜିନଗର ତଥା ଗୋପାଳପୁର ପଞ୍ଚାୟତର ନହଣ ଓ ଗୋପାଳପୁର ଗ୍ରାମବାସୀ । ବେଗୁନିଆ ଠାରୁ ଗୋପାଳପୁର ପଞ୍ଚାୟତର କଣ୍ଟାପଡା କୁ ସଂଯୋଗ କରୁଥିବା ପ୍ରାୟ ୬ କିଲୋମିଟର କେନାଲ ବନ୍ଧ ରାସ୍ତା ଦୀର୍ଘ ବର୍ଷ ଧରି ଅତ୍ୟନ୍ତ ଅବହେଳିତ ହୋଇ ପଡ଼ିରହିଛି ଯାହା ଉପରୋକ୍ତ ଗ୍ରାମବାସୀଙ୍କ ଗମନାଗମନ ର ଏକମାତ୍ର ମାଧ୍ୟମ । ଖାଲଖମାରେ ପରିପୂର୍ଣ୍ଣ ଅତ୍ୟାବଶ୍ୟକ ଏହି ବିପଦପୂର୍ଣ୍ଣ ରାସ୍ତା କାମ କରିବାକୁ ୨୫ ବର୍ଷ ଧରି ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାର ଙ୍କ ଆନ୍ତରିକତା ର ଅଭାବ ତଥା ବିଭାଗୀୟ କତ୍ତୃପକ୍ଷଙ୍କ ଅବହେଳା ର ପରିଣତି ସରକାରୀ ଦଳର ମୁଣ୍ଡବ୍ୟଥା ର କାରଣ ପାଲଟିଛି । ଲୋକଙ୍କ କହିବା ଅନୁସାରେ ଏହି ରାସ୍ତା କାମ ସରକାରୀ ଦଳର କିଛି ଛାମୁଆ ନେତାଙ୍କ ପାଇଁ ଅର୍ଥ ଉପାର୍ଜନ ପାଇଁ ଲେଉଟିଆ କିଆରି ସଦୃଶ । ଗ୍ରାମବାସୀଙ୍କ ଏହି ଦୀର୍ଘ ଦିନର ଦାବିକୁ ନିର୍ବାଚନ ସମୟରେ ମିଳେ କେଵଳ ପ୍ରତିଶ୍ରୁତି । ହଂସୁରା ନଦୀ ଓ କେନାଲ ସଂଲଗ୍ନ ଏହି ଗ୍ରାମବାସୀ ନଦୀର ପାଣି ବଢିବା ସମୟରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଅତ୍ୟନ୍ତ ଆତଙ୍କିତ ଓ ଆଶଙ୍କିତ ଅବସ୍ଥାରେ ସମୟ ବିତାଉଥିଲେ ମଧ୍ୟ ସାମାନ୍ୟ ରିଲିଫ୍ ସାମଗ୍ରୀ ଦେଇ ସରକାର କେବଳ ନୀରବ ଦ୍ରଷ୍ଟା ସାଜି ଆସୁଛନ୍ତି । ଆସନ୍ତା ଉପନିର୍ବାଚନ ତାରିଖ କୁ ଆଖି ଆଗରେ ରଖି ଗ୍ରାମସଭାମାନ କରି କୌଣସି ରାଜନୈତିକ ଦଳକୁ ଗ୍ରାମକୁ ପୂରାଇ ଦିଆଯିବ ନାହିଁ ତଥା ଭୋଟ ବର୍ଜନ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ଓ ଦରକାର ପଡିଲେ ଆମରଣ ଅନଶନକୁ ଓହ୍ଲାଇବେ ବୋଲି ଜଣାଇଛନ୍ତି ଉକ୍ତ ଅଞ୍ଚଳବାସୀ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment