ମାଲକାନଗିରି,୦୨/୦୬(ପିପିଟି): ମାଲକାନଗିରି ଜିଲ୍ଲାର ୫୩ଟି ସ୍କୁଲକୁ ୫-ଟି ଅଧୀନରେ ରୁପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଥିବା ବେଳେ ତନ୍ମମଧ୍ୟରୁ ୪୭ଟି ସ୍କୁଲକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭୁବନେଶ୍ବରରେ ରହି ସନ୍ଧ୍ଯା ସମୟରେ ଭର୍ଚୁଆଲ ଭାବେ ଶୁଭ ଉଦଘାଟନ କରିଥିଲେ।ମାଲକାନଗିରି ସ୍ଥିତି ଏମଭି-୭ ଗ୍ରାମର ଜଗନ୍ନାଥପାଲ୍ଲୀ ହାଇସ୍କୁଲ ପ୍ରାଙ୍ଗଣରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝି ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ପୌରହିତ୍ଯ କରିଥିଲେ । ବିଦ୍ଯାଳୟର ଛାତ୍ରୀ ହିତାଙ୍କାକ୍ଷୀ ଚୌଧୁରୀ ମଞ୍ଚାସୀନ ଥିଲେ । ଏହା ବ୍ଯତୀତ ପଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ,ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା,ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ,ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଏ ଈଶ୍ବର ରାଓ ସମେତ ୪୭ଟି ସ୍କୁଲର ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ,ବୁଦ୍ଧିଜୀବୀ, ଜନସାଧାରଣ ଉପସ୍ଥିତ ରହିଥିଲେ।ମାଲକାନଗିରି ଜିଲ୍ଲାରେ ୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ପ୍ରାୟ ୨୩ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।ପ୍ରକାଶ ଥାଉକି ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲ ମୁହାଁ କରିବା ପାଇଁ ଓ ସେମାନଙ୍କୁ ଅତ୍ୟାଧୁନିକ ଶିକ୍ଷା ସୁବିଧା ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନରେ ଜିଲ୍ଲାର ୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଛି। ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି।୩୫ ଲକ୍ଷ ଟଙ୍କାର ବିଦ୍ୟାଳୟର ମରାମତି,ବଗିଚା ଉନ୍ନତିକରଣ, ଉନ୍ନତମାନର ଶ୍ରେଣୀଗୃହ, ପାଚେରିଗୁଡିକରେ ବିଭିନ୍ନରଙ୍ଗ କରାଯିବା ସହ ମହାପୁରୁଷ, ସ୍ବାଧୀନତା ସଂଗ୍ରାମୀ, ବୈଜ୍ଞାନିକ, ଶିକ୍ଷାବିତ,ବିଭିନ୍ନ ବୃକ୍ଷରାଜି, ବନ୍ୟଜନ୍ତୁ,ସ୍ଥାନୀୟ ଲୋକକଳା ଓ ନୃତ୍ୟ ଆଦିର ଛବି ଅଙ୍କାଯିବ।ତେବେ ବଳକା ୧୦ ଲକ୍ଷ ଟଙ୍କାରେ ବିଦ୍ୟାଳୟର ପାଠାଗାର, ବିଭିନ୍ନ ପ୍ରକାରର ପୁସ୍ତକ କିଣା, ଇଣ୍ଟରନେଟ ସଂଯୋଗ ଓ ତାଲିମ ଶିବିର ପାଇଁ ଖର୍ଚ୍ଚ କରାଯିବ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)